କନକ ବ୍ୟୁରୋ: ପକ୍ଷୀଙ୍କ ପାଇଁ ଅସୁରକ୍ଷିତ ହେଲାଣି ଚିଲିକା । ଶୀତ ଋତୁର ଆଗମନରେ ଚିଲିକାକୁ ଲକ୍ଷାଧିକ ପକ୍ଷୀଙ୍କ ଆଗମନ ହୋଇଛି । ଠିକ୍ ଏହି ସମୟରେ ଚିଲିକାରେ ସକ୍ରିୟ ହେଲେଣି ପକ୍ଷୀ ଶିକାରୀ । ପକ୍ଷୀ ଶିକାର ପାଇଁ ଚିଲିକା କୂଳରେ ପଡ଼ିଛି ମୃତ୍ୟୁର ଫାଶ । ଚିଲିକା ନୂଆପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଖିରିସାହି ନିକଟ ଚିଲିକା କୂଳରେ ପକ୍ଷୀ ଶିକାର ପାଇଁ ଶିକାରି ଫାସ ବସାଇଥିବାର ଚିତ୍ର ସାମ୍ନାକୁ ଆସିଛି । ଏହି ଫାସରେ ବିଷକ୍ତ ଖାଦ୍ୟ ରଖୁଛନ୍ତି ଶିକାରୀ । ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଆସି ଫାସରେ ପଡ଼ୁଛନ୍ତି । ପକ୍ଷୀଙ୍କ ଗୋଡ କିମ୍ବା ବେକ ଲାଗିଗଲେ ସେହି ସ୍ଥାନରୁ ପକ୍ଷୀମାନେ ଆଉ ଯାଇପାରନ୍ତି ନାହିଁ । ଫଳରେ ବିଦେଶାଗତ ପକ୍ଷୀମାନେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।
ଶିକାରୀମାନେ ପକ୍ଷୀଙ୍କୁ କାବୁ କରି ଏହାକୁ ବିକ୍ରି କରୁଛନ୍ତି । ଅନେକ ସମୟରେ ଚିଲିକାରେ ମଲା ପକ୍ଷୀ ଭାସୁଥିବାର ଦେଖିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠୁଛି ପକ୍ଷୀଙ୍କୁ ସୁରକ୍ଷା ପାଇଁ ନିୟୋଜିତ ଥିବା ବନ ବିଭାଗ କରୁଛି କ’ଣ । ପକ୍ଷୀ ସୁରକ୍ଷା ପାଇଁ ସମ୍ପୁର୍ଣ୍ଣ ଭାବେ ଫେଲମାରିଛି ବନବିଭାଗ । ତେଣୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଇଛନ୍ତି ପକ୍ଷୀପ୍ରେମୀ ।
Follow Us