ଭୁବନେଶ୍ୱରରେ ବାର୍ଡ ଫ୍ଲୁ ପାଇଁ ଆଜିଠୁ କୁକୁଡାମରା ଅଭିଯାନ ଆରମ୍ଭ : ଓୟୁଏଟିରେ ୧ କି.ମି. ପରିସରରେ ମରାଯିବ କୁକୁଡା,ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀବିହାର
କନକ ବ୍ୟୁରୋ : ଭୁବନେଶ୍ୱରରେ ବାର୍ଡଫ୍ଲୁ । ଓୟୁଏଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଏହାପରେ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୁକୁଡା ଓ ପକ୍ଷୀ ମରା ଅଭିଯାନ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଆଜିଠୁ ଆରମ୍ଭ ହେଉଛି କୁକୁଡାମରା ଅଭିଯାନ । ଗତ କିଛିଦିନ ଧରି ଓୟୁଏଟି କୁକୁଡା ଫାର୍ମରେ ବହୁ ସଂଖ୍ୟାରେ କୁକୁଡା ମରିବା ଆରମ୍ଭ ହୋଇଥିଲା । ଏହାପରେ କୁକୁଡାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ଏହାପରେ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଓୟୁଏଟିରେ କୁକୁଡା ବାର୍ଡ ଫ୍ଲୁ ବା ଏଚ୍ଫାଇଭ ଏନୱାନ ଭୂତାଣୁ ଦ୍ୱାରା ଆକ୍ରାନ୍ତ । ଓୟୁଏଟି କତ୍ତୃପକ୍ଷ ସ୍ପଷ୍ଟ କରିବା ପରେ ବର୍ତ୍ତମାନ ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ବାର୍ଡ ଫ୍ଲୁ କୁକୁଡା ସମେତ ଅନ୍ୟ ପକ୍ଷୀ ମାନଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ପକ୍ଷୀରୁ ମଣିଷ ଶରୀରକୁ ସଂକ୍ରମିତ ହେବାର ଆଶଙ୍କା ବି ଅଧିକ ଥାଏ । ଏଭଳି ସ୍ଥିତିରେ ଆଜି ସକାଳୁ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୁକୁଡା ମରା ଅଭିଯାନ ଆରମ୍ଭ କରାଯିବ । ୧୦ କିଲୋମିଟର ଯାଏଁ ନୀରିକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଂକ୍ରମିତ ଅଂଚଳରେ ଥିବା କୁକୁଡ଼ାକୁ ମାରି ଗଭୀର ଗାତରେ ପୋତି ଦେଇ ଚୁନ କିମ୍ବା ବ୍ଲିଚିଂ ପାଉଡର ଦେବାକୁ କୁହାଯାଇଛି । ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ମୋଟ୍ ୧୨ଟି ଟିମ୍ ଗଠନ କରାଯାଇଛି । କୁକୁଡ଼ାଙ୍କୁ ମାରିବା ପାଇଁ ୭ଟି ଟିମ୍ ଏବଂ ନୀରିକ୍ଷଣ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏବଂ ବାର୍ଡ ଫ୍ଲୁ ସଂପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେପଟେ ବାର୍ଡ ଫ୍ଲୁ ଦେଖାଯିବା ପରେ ନନ୍ଦନକାନନ କତ୍ତୃପକ୍ଷ ବି ପ୍ରତିଶେଧକ ମୂଳକ ପଦକ୍ଷେପ ନେଇଛନ୍ତି । ଆଜି ଠାରୁ ନନ୍ଦନକାନନର ପକ୍ଷୀ ବିହାରକୁ ବନ୍ଦ କରିଦିଆଯାଇଛି । ଏହା କୁକୁଡା ସମେତ ଯେକୌଣସି ପକ୍ଷୀ ଓ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ । ଏଣୁ ବାର୍ଡ ଫ୍ଲୁର ସ୍ପଷ୍ଟ ଚିତ୍ର ସହ ସ୍ଥିତି ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ନନ୍ଦନ କାନନ ଖୋଲା ରହିଲେ ମଧ୍ୟ ପକ୍ଷୀ ବିହାର ବୁଲିପାରିବେନି ପର୍ଯ୍ୟଟକ ।