ନୂଆ ବର୍ଷ ମୁଡରେ ବାର୍ଡ ଫ୍ଲୁ ଆତଙ୍କ ! କେରଙ୍ଗରେ କୁକୁଡା ମରା ଅଭିଯାନ

46

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନୂଆ ବର୍ଷ । ସେଥିପାଇଁ ବିଭିନ୍ନ ସ୍ଥାନରେ ଏବେ ପିକନିକ୍ ଓ ଭୋଜିଭାତର ଆୟୋଜନ । କିନ୍ତୁ ଏହି ସମୟରେ କୁକୁଡା ରୋଗଗ୍ରସ୍ତ । ବାର୍ଡ ଫ୍ଲୁ ଯୋଗୁଁ ଖୋର୍ଦ୍ଧା କେରଙ୍ଗ ଅଂଚଳରେ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଏଥିପାଇଁ ନିୟୋଜିତ ହୋଇଛନ୍ତି ୫ଟି ରାପିଡ୍ ରେସପନ୍ସ ଟିମ୍ ।

ଗତକାଲିର ବିରୋଧ ପରେ ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ପ୍ରଶାସନ ଆରମ୍ଭ କରିଛି କୁକୁଡା ମରା କାମ । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସ୍ଥାନରୁ ଏକ କିଲୋମିଟର ପରିଧିରେ ଏହି ଅଭିଯାନ ଚାଲିବ । ସେପଟେ ପ୍ରତିଦିନ ପଠାଯାଉଥିବା ନମୂନାର ରିପୋର୍ଟ ଆଧାରରେ ଏହି କୁକୁଡା ମରା ଅଭିଯାନ ଅନ୍ୟ ସ୍ଥାନରେ ବି କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କେରଙ୍ଗ ଓ କୁଣ୍ଡିଲୋ ଅଂଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହେବା ପରେ ପ୍ରଶାସନ କୁକୁଡା ମାରିବା ପାଇଁ ପ୍ରସ୍ତୁତି କରିଥିଲା । କିନ୍ତୁ କ୍ଷତିପୂରଣ ଦାବିରେ ଅଟକିଥିଲା ଅଭିଯାନ । ଆଜି ଗ୍ରାମବାସୀଙ୍କ ଦାବି ଅନୁସାରେ କୁକୁଡା ସଂଗ୍ରହ ହେବା ସହ ଲୋକଙ୍କୁ ଦିଆଯାଉଛି କ୍ଷତିପୂରଣ । କୁକୁଡା ପିଛା ଜିଲ୍ଲା ପ୍ରଶାସନ ପକ୍ଷରୁ ୯୦ ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୨୫ ଟଙ୍କା ଲେଖାଏଁ ଦିଆଯାଇଛି । ୫ଟି ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ବ୍ଲିଚିଂ ଛିଂଚା ଯାଉଛି । ଆସନ୍ତା ୩-୪ ଦିନ ମଧ୍ୟରେ ସ୍ଥିତି ସୁଧୁରିବ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।

୨୦୧୨ ମସିହାରେ ଏହି ଅଂଚଳରେ ବାର୍ଡ ଫ୍ଲୁ ବ୍ୟାପିଥିଲା ଏବଂ କୁକୁଡା ମରା ଅଭିଯାନ ହୋଇଥିଲା । ଚଳିତ ବର୍ଷ ୯୦୮ ଟି କୁକୁଡା, ୧୫୩ ଟି ବତକ, ୧୫୦ଟି ହଂସ ସମେତ ଶୁଆ, ପାରା ଓ ଅନ୍ୟାନ୍ୟ ପକ୍ଷୀଙ୍କୁ ମାରି ମାଟିରେ ପୋତିଦେବାକୁ ନିଷ୍ପତି ନିଆଯାଇଛି ।