ମୀନାବଜାର ଭଳି ‘ହର୍ ଏକ ମାଲ୍’ ଦରରେ ବିକ୍ରି ହେଉଛି କୁକୁଡା । ଗୋଟିଏ କିଣିଲେ ୫୦ ଆଉ ଶହେ ଟଙ୍କା ଦେଲେ ମିଳୁଛି ମନପସନ୍ଦର ୩ଟା କୁକୁଡା

8,511

କନକ ବ୍ୟୁରୋ: ଶାଗ ମାଛ ମୂଲରେ ବିକ୍ରି ହେଉଛି କୁକୁଡା । ଗୋଟିଏକୁ ୫୦ ଟଙ୍କା ଆଉ ଶହେ ଟଙ୍କାରେ ୩ଟା କୁକୁଡା । ଆଉ ଏହି ଗୋଟିଏ ଗୋଟିଏ କୁକୁଡାର ଓଜନ ହେବ ପ୍ରାୟ ଏକ କେଜିରୁ ଦେଢ କେଜି । ଶୁଣିବାକୁ ସତ ଲାଗୁ ନଥାଇପାରେ । କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ମାଛ ମାର୍କେଟ ଓ ସାପ୍ତାହିକ ହାଟରେ । ଗତକାଲି ଆମିଷ ବାର ହୋଇଥିବାରୁ ଅନୁଗୁଳର ଏହି ଦୁଇଟି ଜାଗାରେ ଗୋଟିଏ କୁକୁଡା ଭର୍ତ୍ତି ମିନିଟ୍ରକ ଲାଗିଥିଲା । ଆଉ ଗାଡିରେ ଥିବା ୨ ଜଣ ବ୍ୟକ୍ତି ଲୋକଙ୍କୁ ସେମାନଙ୍କ ପସନ୍ଦ ମୁତାବକ କୁକୁଡା ବାଛି ଦେଉଥିବା ବେଳେ ତଳେ ଥିବା ଜଣେ ବ୍ୟକ୍ତି କିଣି ନେଉଥିବା ଲୋକଙ୍କଠାରୁ ଟଙ୍କା ରଖୁଥିଲେ ।

ମୀନା ବଜାରରରେ ହର୍ ଏକ ମାଲ୍..ବିକ୍ରି ଭଳି କୁକୁଡା ଗୋଟିଏକୁ ୫୦ ଟଙ୍କା ଲେଖାଏଁ ଦରରେ ବିକ୍ରି କରାଯାଉଥିଲା । ସେହିଭଳି ଯଦି କେହି ୩ଟାକୁ ଶହେ ଟଙ୍କା ଦରରେ ମାଗୁଥିଲେ ନିସଂକୋଚରେ ଦେଉଥିବା ଦେଖିବାକୁ ମିଳିଥିଲା । ମିନିଟ୍ରକ୍ ସାମ୍ନାରେ କୁକୁଡା କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଭିଡ ଦେଖିବାକୁ ମିଳିଥିଲା ।

ତେବେ ଅନୁଗୁଳରେ ବାର୍ଡଫ୍ଲୁ ନଥିବା ସୂଚନା ପରେ ବି ଲୋକେ ଛାନିଆଁ ହୋଇ ଚିକେନଠାରୁ ମୁହଁ ଫେରାଉଛନ୍ତି । ଫଳରେ ଉଭୟ ଚାଷୀ ଏବଂ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି । ଗୋଟିଏ ବ୍ରଏଲର କୁକୁଡା ପାଳନ କରି ବଡ କରିବା ପାଇଁ ପ୍ରାୟ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ କୁକୁଡା କିଲୋ ପ୍ରତି ୪୦ରୁ ୫୦ ଟଙ୍କା ମଧ୍ୟରେ ବିକୁଛନ୍ତି ଚାଷୀ । ଯଦି ଏପରି ସ୍ଥିତି ଆଗକୁ ଲାଗି ରହେ ତେବେ ଉଭୟ ଚାଷୀ ଓ ବ୍ୟବସାୟୀଙ୍କ ରୋଜଗାର ଶୂନ୍ୟ ହୋଇପଡିବା ବେଶି ଦୂର ନୁହେଁ ବୋଲି କୁହାଯାଉଛି ।