ବାର୍ଡ ଫ୍ଲୁର ଲକ୍ଷଣ କଣ ? କିଭଳି ଏହି ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବେ?

667

କନକ ବ୍ୟୁରୋ : ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ କୁକୁଡାଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଥିବା ବେଳେ ଏହାର ନମୁନା ଯାଞ୍ଚ କରିବାକୁ ଭୋପାଳ ପଠାଯାଇଥିଲା । ସେଠାରୁ ନମୁନା ପଜିଟିଭି ଆସିବାରୁ ବାର୍ଡ ଫ୍ଲୁ ଯେପରି ନ ବ୍ୟାପେ ସେଥିପାଇଁ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ତେଣୁ ଆସନ୍ତାକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଓୟୁଏଟି ଠାରୁ ୧ କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡା ମାରିବାକୁ ପଦକ୍ଷେପ ନିଆଯାଇଛି ।  ସେହିଭଳି ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ନନ୍ଦନକାନନର ବିହଙ୍ଗ ସରଣୀକୁ ବନ୍ଦ କରି ଦିଆଯାଇଛି ।  ତେବେ ବିଭିନ୍ନ ପକ୍ଷୀଙ୍କ ଠାରୁ ବ୍ୟାପୁଥିବା ଏହି ପ୍ରାଣଘାତୀ ଭାଇରସ ପାଇଁ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ଓଡ଼ିଶାରେ ମଧ୍ୟ ବାର୍ଡ ଫ୍ଲୁ ପାଇଁ ଅନେକ  ଜୀବନ ଯାଇଛି ।

ବିଭିନ୍ନ ପକ୍ଷୀଙ୍କ ସମ୍ପର୍କରେ ଆସିବା ଦ୍ୱାରା କିମ୍ବା ଚିକେନ ଖାଇବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ତେଣୁ ବାର୍ଡ ଫ୍ଲୁ ଭାଇରସ ବ୍ୟାପିବା ସମୟରେ ଚିକେନ ଆଦୌ ଖାଇବା ଉଚିତ ନୁହେଁ । ତେବେ ଏହି ରୋଗର ଲକ୍ଷଣ କଣ ଓ ଏହି ଭାଇରସ ଠାରୁ  ନିଜକୁ କିଭଳି ରକ୍ଷା କରିପାରିବେ ତାହା ଉପରେ ଥରେ ନଜର ପକାନ୍ତୁ ।

ବାର୍ଡ ଫ୍ଲୁ ଲକ୍ଷଣ :

ଭୀଷଣ ଜ୍ୱର ହେବା, ସର୍ଦ୍ଦି ହେବା, ନାକରୁ ପାଣି ବହିବା, ଗଳା ଫୁଲିବା, ତଳିପେଟରେ ଯନ୍ତ୍ରଣା ହେବା ଓ ଭୀଷଣ ମୁଣ୍ଡ ବ୍ୟଥା ହେବା ବାର୍ଡ ଫ୍ଲୁର ଲକ୍ଷଣ । ତେଣୁ ଏଭଳି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ରକ୍ତ ପରୀକ୍ଷା କରାଇ ନିଅନ୍ତୁ ।

କେମିତି ନିଜକୁ ସୁରକ୍ଷିତ ରଖିବେ : 

ଯଦି ଆପଣ ଏହି ସଂକ୍ରମଣର ଶିକାର ହୋଇଥାନ୍ତି ତେବେ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକ କପଡାରେ ଘୋଡାନ୍ତୁ ।

– ଭିଡ ସ୍ଥାନ ବା କୁକୁଡା ପାଳନ କେନ୍ଦ୍ରକୁ ଯାଆନ୍ତୁ ନାହିଁ ।

– କାଶ, ଛିଙ୍କ ଓ ଜ୍ୱରରେ ପୀଡିତ ରୋଗୀଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ

– ବାର୍ଡ ଫ୍ଲୁ ବ୍ୟାପିବା ସମୟରେ ଚିକେନ, ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ ।

– ଅଣ୍ଡା ଧରିଥିଲେ ଗରମ ପାଣି କିମ୍ବା ସାବୁନରେ ହାତ ଧୁଅନ୍ତୁ

– ଅଧିକ ପାଣି ପିଅନ୍ତୁ ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ

– ବାର୍ଡ ଫ୍ଲୁ ର ଲକ୍ଷଣ ଦେଖାଗଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

ଏହିଭଳି ଭାବେ ବାର୍ଡ ଫ୍ଲୁ ଭାଇରସ ଠାରୁ ଆପଣ ନିଜକୁ ଦୂରେଇ ରଖିପାରିବେ ।