ଦିଲ୍ଲୀ ଆକାଶରୁ ଟଳି ପଡ଼ୁଛନ୍ତି ଶହ ଶହ ପକ୍ଷୀ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

106

ଦିଲ୍ଲୀ ଆକାଶରୁ ମୃତ ପକ୍ଷୀଙ୍କ ବର୍ଷା ହେଉଛି । ଶହ ଶହ ସଂଖ୍ୟାରେ ମୃତ ପକ୍ଷୀ ଦିଲ୍ଲୀ ଆକାଶରୁ ହିଁ ଟଳିପଡ଼ୁଛନ୍ତି । ପକ୍ଷୀଙ୍କ ଏଭଳି ମୃତ୍ୟୁ କୌଣସି ମାରାତ୍ମକ ରୋଗ କିମ୍ବା ଆକ୍ରମଣ ଯୋଗଁ ନୁହେଁ ବରଂ ପରୋକ୍ଷରେ ଏହା ପଛରେ ମଣିଷର ହିଁ ହାତ ରହିଛି । ଏବେ ଦିଲ୍ଲୀରେ ପାରା ୪୫ ଡିଗ୍ରୀ ଉପରେ ରହୁଛି । ଏଭଳି ତାତିରେ ଗରମ ପବନ ବହିବା ଯୋଗୁଁ ଛୋଟ ଛୋଟ ପକ୍ଷୀ ଗୁଡ଼ିକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ମଣିଷ ଠାରୁ ପକ୍ଷୀଙ୍କ ଉପରେ ତାତିର ପ୍ରଭାବ ଅଧିକ ପଡ଼ୁଛି । ଯାହାଦ୍ୱାରା ପକ୍ଷୀ ଗୁଡ଼ିକ ଆକାଶରୁ ହିଁ ବେହୋସ ହୋଇ ତଳେ ପଡ଼ୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଏତେ ସଂଖ୍ୟାରେ ପକ୍ଷୀ ଗୁଡ଼ିକ ମରୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । କାରଣ ମରି ଯାଉଥିିବା ଅଧିକ ପକ୍ଷୀଙ୍କୁ କୁକୁର କିମ୍ବା ବିଲେଇ ଖାଇ ଯାଉଛନ୍ତି ।ଯାହା ଫଳରେ କାହାର ଧ୍ୟାନ ମଧ୍ୟ ମୃତ ପକ୍ଷୀଙ୍କ ଉପରେ ପଡ଼ୁ ନାହିଁ । ୱାଇଲ୍ଡ ଲାଇଫ ଏସଓଏସର କୋ-ଫାଉଣ୍ଡର କାର୍ତ୍ତିକ ସତ୍ୟନାରାୟଣଙ୍କ କହିବା ମୁତାବିକ, ଚିଲ ଭଳି ପକ୍ଷୀ ଆକାଶରେ ବହୁତ ଉଚ୍ଚରେ ଉଡ଼ିଥାନ୍ତି । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ପକ୍ଷୀ ଗୁଡ଼ିକ ସୂର୍ଯ୍ୟଙ୍କ କୋପର ଶିକାର ହୋଇଥାନ୍ତି । ଏପରିକି ଅନେକ ସମୟରେ ପାଣି ଖୋଜି ଖୋଜି ପକ୍ଷୀ ଗୁଡ଼ିକ ବେହୋଶ ହୋଇ ପଡ଼ିଥିବାର ନଜିର ରହିଛି ।

ତେବେ ପକ୍ଷୀଙ୍କର ଏହି ମୃତ୍ୟୁ ପଛରେ ପରୋକ୍ଷରେ ମଣିଷର ହିଁ ହାତ ରହିଛି । ନିଜର ସୁବିଧା ପାଇଁ ଗଛ କାଟିବା, ନୂଆ ନୂଆ ବିଲ୍ଡିଂ ନିର୍ମାଣ କରିବା ଯୋଗୁଁ ପକ୍ଷୀ ମାନଙ୍କର ବାସଗୃହକୁ ଭାଙ୍ଗିବାକୁ ମଧ୍ୟ ଆମେ ପଛାଉ ନାହିଁ । ଆଉ ଯାହାର କରୁଣ ପରିଣତି ଏହି ପକ୍ଷୀ ମାନଙ୍କୁ ଭୋଗିବାକୁ ପଡ଼ୁଛି । ପୂର୍ବ ରେକର୍ଡ଼ ଅନୁଯାୟୀ, ଗତ ତିନି ବର୍ଷରେ ଦିଲ୍ଲୀକୁ ବିକାଶ ମାର୍ଗରେ ଆଉ ପାଦେ ଆଗକୁ ନେବା ପାଇଁ ୧୫,୦୦୦ ଗଛ କଟାଯାଇଛି । ଏପରିକି ୨୦୦୨ ମସିହାରେ ଗମାନଗମନର ସୁବିଧା ପାଇଁ ଦିଲ୍ଲୀ ମେଟ୍ରୋ ବିଭାଗ ପାଖାପାଖି ୫୦୦୦୦ ହଜାର ଗଛ କାଟିଛି । ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି ।

ଏହାଛଡ଼ା ଦିଲ୍ଲୀରେ ହୋଇଥିବା ପ୍ରବଳ ବର୍ଷା ଓ ପବନ ଯୋଗୁଁ ଅନେକ ବଡ଼ ବଡ଼ ଗଛ ଭାଙ୍ଗି ଯାଇଛି । ଯାହାଦ୍ୱାରା ଅନେକ ପକ୍ଷୀ ଅକାରଣରେ ମୃତ୍ୟୁମୁଖକୁ ଠେଲି ହୋଇଯାଇଛନ୍ତି । ଏହାଛଡ଼ା ପାରା ଭଳି ପକ୍ଷୀ ଖରାରୁ ବଞ୍ଚିବା ପାଇଁ ଏବେ ଘରେ ଭିତରକୁ ପଶି ଆସୁଛନ୍ତି । କିନ୍ତୁ ଏହି ନିରୀହ ପକ୍ଷୀ ଜାଣି ନାହାନ୍ତି ଯେ ଛାଇ ଖୋଜିବା ବଦଳରେ ସେମାନେ ମୃତ୍ୟୁ ରାସ୍ତାକୁ ପାଦ ବଢ଼ାଉଛନ୍ତି । କାରଣ ଅନେକ ପକ୍ଷୀଙ୍କର ଘରର ଫ୍ୟାନ ସହ ଧକ୍କା ହୋଇ ମୃତ୍ୟୁ ହେଉଛି ।