ଭିତରକନିକାରେ ବଢୁଛି ପକ୍ଷୀଙ୍କ ଭିଡ । ଦେଶୀୟ ପକ୍ଷୀଙ୍କ କାକଳିରେ କୋଳାହଳମୟ ହୋଇଉଠୁଛି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ।

116

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ ବଢୁଛି । ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ପ୍ରାୟ ୬୦ ହଜାରରୁ ଅଧିକ ପକ୍ଷୀ ଭିଡ ଜମାଇସାରିଛନ୍ତି । ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା କୋଳାହଳମୟ ହୋଇଉଠିଛି । ଭିତରକନିକାକୁ ଜୁନ୍ ଶେଷ ଭାଗରୁ ଦେଶୀୟ ପକ୍ଷୀଙ୍କର ଆଗମନ ହୋଇଥାଏ । ମା’ପକ୍ଷୀମାନେ ବସାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ଅକ୍ଟୋବର ଶେଷ ସୁଦ୍ଧା ଛୁଆଙ୍କୁ ନେଇ ପୁଣି ଫେରିଯାଇଥାନ୍ତି । ଖାଦ୍ୟ ସଂଗ୍ରହ ସହ ବଂଶବିସ୍ତାର ପାଇଁ ଭିତରକନିକାକୁ ବାଛିଥାନ୍ତି ଦେଶୀୟ ପକ୍ଷୀ ।

ଜଳବାୟୁର ପରିବର୍ତ୍ତନ ଯୋଗୁଁ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ହୋଇଛି । ଫଳରେ କ୍ରମାଗତ ଭାବେ ପକ୍ଷୀମାନେ ସେମାନଙ୍କ ଠିକଣା ବଦଳାଉଛନ୍ତି । ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନଙ୍କ କୋଳାହଳ ଦେଖିବାକୁ ମିଳୁଥିଲା । ଗତ ୫ ବର୍ଷ ହେଲା ବଗଗହନ ଠାରୁ ୩ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଉଛନ୍ତି । ୨୦୧୯ ମସିହାରୁ ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଛନ୍ତି । ଗତ ବର୍ଷ ଗଣନାରୁ ଜଣାପଡିଥିଲା ଭିତରକନିକାରେ ୧୦ ପ୍ରକାରର ୯୭ ହଜାର ୮୬୬ ଦେଶୀୟ ପକ୍ଷୀ ଥିଲେ । ଚଳିତବର୍ଷ ମୌସୁମୀ ଆରମ୍ଭରୁ ଅଧିକ ସଂଖ୍ୟାରେ ପକ୍ଷୀ ଭିତରକନିକାକୁ ଆସିବାରେ ଲାଗିଛନ୍ତି ।