ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ 

585

କନକ ବ୍ୟୁରୋ : ପକ୍ଷୀ ଗଣନା ବେଳେ କ୍ୟାମେରାରେ କଏଦ ହେଲେ ହାତୀ ପଲ । ଚିଲିକା ହ୍ରଦ ଅଂଚଳରେ ହାତୀ ପଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପକ୍ଷୀଗଣନା କରୁଥିବା ବନ୍ୟପ୍ରାଣୀ ବିଭାଗର ଟିମ୍ । ହ୍ରଦ ଭିତରେ ହାତୀ । ହଠାତ ହାତୀଙ୍କୁ ଦେଖି କିଛି ଠଉରେଇ ପାରିନଥିଲେ ପକ୍ଷୀଗଣନା କରୁଥିବା ଟିମ୍ । ଏକ ମାଛ ଧରା ଡ଼ଙ୍ଗାରେ ପାଖକୁ ଯାଇ ଯାହା ଦେଖିଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଏକ ବର୍ଷକର ଛୁଆ ହାତୀ ହଦ୍ର ଭିତରେ ଫସି ଯାଇଛି । ତାକୁ ଉଦ୍ଧାର କରିବା ପାଇଁ ଏକ ୧୨ରୁ ୧୩ଟିକିଆ ହାତୀ ପଲ ଲାଗିଛନ୍ତି । ୩ଟି ଦନ୍ତାହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଲାଗିଥିବା ବେଳେ ବାକି ହାତୀମାନେ ତାଙ୍କୁ ଘେରି ରହିଥାନ୍ତିି । କିଛି ସମୟ ପରେ ହାତୀ ଛୁଆ ଉଦ୍ଧାର ହୋଇଥିଲେ ବି ଦିନ ଥିବାରୁ ହାତୀ ପଲ ହ୍ରଦରୁ ବାହାରି ପାରିନଥିଲେ । ହ୍ରଦରେ ଥିବା ହାତୀ ପଲଙ୍କୁ ବାଇନାକୁଲର ସାହଯ୍ୟରେ ଦେଖି ପାଖକୁ ଯାଇଥିଲେ ପକ୍ଷୀ ଗଣନାକାରୀ ଟିମ୍ ।

ଆଗରୁ ଚିଲିକାରେ ପକ୍ଷୀ ଗଣନା ସମୟରେ କେବେ ଏଭଳି ଦେଖିବାକୁ ମିଳିନଥିବା କହିଛନ୍ତି ପକ୍ଷୀ ଗଣନାକାରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ରୁ ୧୫ ବର୍ଷ ଭିତରେ ହ୍ରଦକୁ ହାତୀ ପଲ ଆସିନଥିଲେ । ହ୍ରଦରେ ହାତୀ ପଲଙ୍କୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ ପକ୍ଷୀ ଗଣନା ଟିମ୍ର ଲିଡ଼ କରୁଥିବା ଫରେଷ୍ଟ ଅଫିସର ରାଧାକାନ୍ତ ହୋତା । ଚିଲିକାରେ ହାତୀ ପଲଙ୍କୁ ହାବୁଡ଼ିଲେ ପକ୍ଷୀ ଗଣନାକାରୀ ଟିମ୍ । ଚିଲିକା ବନଖଣ୍ଡରେ ଆଜି ସକାଳୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନାରି ଟିମ୍ ଭେଟିଥିଲେ ଏହି ହାତୀପଲଙ୍କୁ ।

 ଟାଙ୍ଗୀ ବନାଂଚଳ ବାଲିପାଟପୁର ଅଂଚଳରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା । ଗତରାତିରୁ ଭୂଷଣ୍ଡପୁର ଦେଇ କେତେବେଳେ ଯେ ହାତୀ ପଲ ଚିଲିକା ଆର୍ତ୍ର ଭୂମି ଭିତରେ ପଶିଥିଲେ ସେଠାକାର ଗାଁ ଲୋକ ଜାଣିପାରିନଥିଲେ । ଆଜି ସକାଳୁ ବାଲିପାଟପୁର ଘାଟରୁ ଟିମ୍ ଲିଡ଼ର ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ୍ ହାତୀ ପଲଙ୍କ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହାତୀ ପଲରେ ସମୁଦାୟ ୧୩ଟି ହାତୀ ଥିଲେ । ଯାହାଙ୍କ ଭିତରେ ୩ଟି ଦନ୍ତା, ଗୋଟେ ଛୋଟ ହାତୀ ଥିଲା । ସେହି ଛୁଆଟି କାଦୁଅରେ ଗଳି ପଡ଼ିଥିଲା । ଛୁଆଟିକୁ ଉଠେଇବା ପାଇଁ ସେହି ସ୍ଥାନରେ ହାତୀପଲ ରୁଣ୍ଡ ହୋଇଥିଲେ ।