କନକ ବ୍ୟୁରୋ : ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ କାରବାରକୁ ନେଇ ଦ୍ୱନ୍ଦ୍ୱରେ ଭିଜିଲାନ୍ସ । ଜବତ ହୋଇଥିବା ୧୧୪ ଆଡମିଟ୍ କାର୍ଡ ସେ କାହିଁକି ରଖିଥିଲେ ସେ ନେଇ ଯାଞ୍ଚ ଜାରି ରଖିଛି । ତେବେ ଏହି ଆଡମିଡ କାର୍ଡ ମଧ୍ୟରେ ୧୦୭ଜଣଙ୍କର ନାଁ କୌଣସି ମେରିଟ୍ ଲିଷ୍ଟରେ ନାହିଁ । ଆଉ ୭ଜଣଙ୍କର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଭିଜିଲାନ୍ସ ଏସପି । ଏଥିସହ ୨୧ଜଣ ପ୍ରାର୍ଥୀ ବିରଞ୍ଚିଙ୍କ ପତ୍ନୀଙ୍କ ନାଁରେ ଚାଲିଥିବା ଏଜେଣ୍ଟ କୋଡରେ କାହିଁକି ଜୀବନବୀମା କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଯେଉଁ ପିଲାମାନଙ୍କର ମେରିଟ୍ ଲିଷ୍ଟରେ ନାଁ ନାହିଁ, ସେମାନଙ୍କର ଆଡମିଟ୍ କାର୍ଡ କାହିଁକି ରଖିଥିଲେ ବିରଞ୍ଚି । ଏହା ପଛରେ କଣ ରହିଥିଲା ଉଦ୍ଦେଶ୍ୟ । ମେରିଟ ଲିଷ୍ଟରେ ନାଁ ନଥିବା ପିଲାମାନଙ୍କ ସହ ଡିଲ କରି କିଛି ବଡ ଧରଣର ଦୁର୍ନୀତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ କି ବିରଞ୍ଚି?
ସେପଟେ, ଷ୍ଟାପ ସିଲେକ୍ସନ୍ କମିଶନରେ ହୋଇଥିବା ଦୁର୍ନୀତିରେ କେବଳ ପିଏସ ନୁହେଁ କମିଶନଙ୍କ ସମସ୍ତ ସଦସ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଓଡ଼ିଶାର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି ସେ ଅଭିଯୋଗ ଆଣିଛନ୍ତି । କମିଶନ ନିଜ ଆଡ଼ୁ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୁଅନ୍ତୁ । ଏହି ଦୁର୍ନୀତି ଯେବେ ଠାରୁ ଚାଲିଛି, ଯେଉଁ କମିଶନ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଛି ବିଜେପି । ନଚେତ ସରକାର ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି ।