ଜୀବନ ପାଲଟିଛି ଯନ୍ତ୍ରଣାମୟ…ନା ଅଛି ସରକାରୀ ସୁବିଧା ନା ମିଳୁଛି ଜୀଇଁବାର ରାହା । ପକ୍ଷାଘାତରେ ଶିକାର ହୋଇ ଦୀର୍ଘ ୪ ବର୍ଷ ହେଲା ବିଛଣାରେ ପଡି ସାହାଯ୍ୟ ଅପେକ୍ଷା ଚାହିଁ ରହିଛନ୍ତି ବିରଂଚି…

ପ୍ରଶ୍ନ ଉଠେ ସରକାରୀ ଯୋଜନା କାହାପାଇଁ ?

192

କନକ ବ୍ୟୁରୋ: ଜୀବନ ଓ ଯନ୍ତ୍ରଣାର ସଂଘର୍ଷପୂର୍ଣ୍ଣ ଜୀବନ ଜୀଉଁଛନ୍ତି ୪ବର୍ଷ ହେବ । ନା ଅଛି ସରକାରୀ ସୁବିଧା ନା ଭଲରେ ବଂଚିବା ପାଇଁ ରାହା । ପକ୍ଷାଘାତରେ ଆକ୍ରାନ୍ତ ହେବା ସହ ଗୋଟିଏ ଗୋଡ ହରାଇ ସେ ଭୋଗୁଛନ୍ତି ନର୍କ ଯନ୍ତ୍ରଣା । ଜୀବନର ପ୍ରତିଟି ମୁହୂର୍ତ୍ତ ପାଲଟିଛି ଯନ୍ତ୍ରଣାମୟ । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଗଡମଧୁପୁର ଗାଁର ବିରଂଚି ବାରିକଙ୍କ କଥା । ତେବେ ପ୍ରଶ୍ନ ଉଠେ ସରକାରୀ ଯୋଜନା କାହାପାଇଁ ?

ଏ ହେଉଛନ୍ତି ୪୮ବର୍ଷୀୟ ବିରଂଚି ବାରିକ । ଦିନରାତି ବିତୁଛି ବିଛଣାରେ । ଜୀବନ ଯେମିତି ପାଲଟିଛି ଯନ୍ତ୍ରଣାମୟ । ଦିନଥିଲା ନିଜର କୌଳିକ ବୃତିରେ ସେଲୁନଟିଏ କରି ଦୁଇ ପଇସା ରୋଜଗାର କରି ହସଖୁସିରେ ଚଳାଉଥିଲେ ପରିବାର । ପତ୍ନୀ, ୨ପୁଅ ଓ ଝିଅକୁ ନେଇ ଚାଲିଥିଲା ତାଙ୍କର ହସଖୁସିର ସଂସାର । ହେଲେ ଦଇବ ଦାଉ ସାଧିଲା ଭଳି ୨୦୧୬ ମସିହାରୁ ବିରଂଚିଙ୍କ ଜୀବନରେ ଘୋଟିଆସିଲା ଦୁଃଖ ରୂପି କଳାବାଦଲ । ଗୋଡରେ ରକ୍ତ ସଂଚାଳନ ବନ୍ଦ ହୋଇଯିବା ଫଳରେ ସେ ଆଉ ଆଗ ଭଳି କରିପାରିଲେ ନାହିଁ କାମଧନ୍ଦା । ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ଦୌଡି ସର୍ବସ୍ୱାନ୍ତ ହେବା ସହ ହରାଇ ବସିଥିଲେ ନିଜର ଗୋଟିଏ ଗୋଡ । ଆଉ ପକ୍ଷାଘାତରେ ବାମପଟ ଗୋଡ ହାତ ପୁରା ଅଚଳ ହେବା ସହ ସେ ପାଲଟିଯାଇଥିଲେ ଅକର୍ମଣ୍ୟ ।

ରୋଗଗ୍ରସ୍ତ ବିରଂଚିଙ୍କ ପରିବାର ଭୋକ ଉପବାସରେ ଦିନ କାଟୁଥିବା ବେଳେ ଘରର ଆର୍ଥିକ ସ୍ଥିତିକୁ ଦେଖି ନିଜ ପାଠପଢାରେ ଡୋରି ବାନ୍ଧି ଦେଇଛନ୍ତି ତାଙ୍କ ପୁଅ ଝିଅ । ଆଉ ବାପାଙ୍କ ଏ ଦୁଃଖ ସମୟରେ ଟିକିଏ ସରକାରୀ ସହାୟତା ପାଇଁ ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକକୁ ଦୌଡି ଦୌଡି ହତାଶ ହୋଇଛନ୍ତି ସିନା ହେଲେ କାହାରି ପାଟିରୁ ଏମାନଙ୍କୁ ଆହାପଦେ ବାହାରିଲା ନାହିଁ । ଫଳରେ ଏବେ ଭଙ୍ଗାକୁଡିଆରେ ଜୀବନ ବିତାଉଛନ୍ତି ବିରଂଚିଙ୍କ ପରିବାର । ବଡ କଥା ହେଲା, ଭିନ୍ନକ୍ଷମ ହୋଇ ବି ବିରଂଚିକୁ ଏଯାବତ୍ ଭତାଟିଏ ବି ଜୁଟିନି । ତେବେ ବିରଂଚିଙ୍କ ଏଭଳି ବିକଳ ଅବସ୍ଥାକୁ ଦେଖିଲେ ମନେହୁଏ ସରକାରୀ ଯୋଜନା କାହାପାଇଁ ।

ତେବେ ଜୀବନ ଯନ୍ତ୍ରଣାରେ ଚଟପଟ ହେଉଥିବା ବିରଂଚିଙ୍କ ଉପରେ କେବେ ପଡୁଛି ପ୍ରଶାସନର ନଜର ତାହା ଏବେ ଦେଖିବାକୁ ବାକି ରହିଲା ।