କଂଗ୍ରେସରେ ଯୋଗଦେଲେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

58

କନକ ବ୍ୟୁରୋ: ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ ସଭାପପତି ରାହୁଲ ଗାନ୍ଧି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ତିର୍କୀ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ସହ ସୁନ୍ଦରଗଡରେ କଂଗ୍ରେସର ଶକ୍ତି ବଢିବା ଆଶା କରାଯାଉଛି । ଜର୍ଜ ତିର୍କୀ ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚାରେ ଥିଲେ । ୧୯୯୫ ଓ ୨୦୦୦ ମସିହାରେ ଜର୍ଜ ତିର୍କୀ ଝାଡଖଣ୍ଡ ମୁକ୍ତି ମୋର୍ଚା ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୨ ମସିହାରେ ବିଜେଡିରେ ସାମିଲ ହୋଇ ସୁନ୍ଦରଗଡ ଜିଲ୍ଲା ସଭାପତି ବି ହୋଇଥିଲେ ।

ତେବେ ୨୦୦୪ରେ ଟିକେଟ ନ ମିଳିବାରୁ ସୁନ୍ଦରଗଡ ଲୋକସଭା ଆସନ ଓ ବୀରମିତ୍ରପୁର ବିଧାନସଭା ଆସନରୁ ସ୍ୱାଧୀନ ଭାବେ ଲଢି ହାରିଯାଇଥିଲେ ଜର୍ଜ ତିର୍କୀ । ୨୦୦୯ ଓ ୨୦୧୪ରେ ବୀରମିତ୍ରପୁର ଆସନରୁ ନିର୍ବାଚନ ଲଢି ବିଜୟଲାଭ କରିଥିଲେ । ୨୦୧୩ ମସିହାରେ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ମିଶି ସମତା କ୍ରାନ୍ତି ଦଳ ଗଠନ କରିଥିଲେ । ତେବେ ଏହି ଦଳ ଛାଡି ସେ ୨୦୧୭ ଡିସେମ୍ବରରେ ପୁଣି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ ।

ସୁନ୍ଦରଗଡରେ ଆଦିବାସୀ ଆନ୍ଦୋଳନ, ଖାସ କରି ବୀରମିତ୍ରପୁର ଅଂଚଳରେ ଜର୍ଜ ତିର୍କୀଙ୍କ ଖାସ ପ୍ରଭାବ ରହିଛି । ତେଣୁ ଆସନ୍ତା ନିର୍ବାଚନତରେ ସେ ସୁନ୍ଦରଗଡ ଲୋକସଭା ଆସନ କିମ୍ବା ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।