ପୁରୀ, ଲିଙ୍ଗରାଜ ଭଳି ବିରଜା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ କୋଟି ୫୦ ଲକ୍ଷ ଟଙ୍କା।

162

କନକ ବ୍ୟୁରୋ: ପୁରୀ ଓ ଲିଙ୍ଗରାଜ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ହେବ ଉନ୍ନତିକରଣ । ମନ୍ଦିର ପରିସରର ନବକଳେବର ହେବା ସହିତ ଏହାର ରୂପରେଖ ବଦଳିଯିବ । ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, ଭୋଗ ଦୋକାନ, ପ୍ରଶାସନିକ ଦପ୍ତର, ୫୪ ଓ ୪୨ ମହାଦେବଙ୍କ ମନ୍ଦିର ନିର୍ମାଣ ସହ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ ଆନନ୍ଦ ବଜାର । ମନ୍ଦିର ଭିତରେ ଥିବା ମ୍ୟୁଜିୟମ ବାହାରକୁ ସ୍ଥାନାନ୍ତରିତ ହେବ । ମାଆ ବିରଜାଙ୍କ ପାଖରେ ବିବାହ ଉତ୍ସବ ପାଇଁ ମଣ୍ଡପ ନିର୍ମାଣ ହେବ । ଏଥିପାଇଁ ଡିପିଆର ବା ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ଦେବା ସହ ଡେମୋ କରାଯାଇ ଟେଣ୍ଡର ପକ୍ରିୟା ସରିଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଢେ ୬ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହୋଇଛି ଉନ୍ନୟନମୂଳକ କାମ । ଆନନ୍ଦ ବଜାର ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ଦିର ଭିତରେ ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, କାର୍ଯ୍ୟାଳୟ, ଭୋଗ ଦୋକାନ ଅତ୍ୟାଧୁନିକ ଶୈଳୀରେ ତିଆରି ହେବ । ମନ୍ଦିରର ନବିକରଣ ସଂପର୍କରେ ମନ୍ଦିର ପ୍ରଶାସନ ଦେଖାଇଥିବା ଡେମୋକୁ ସମସ୍ତେ ସୀକୃତି ଦେଇଥିବା କହିଛନ୍ତି ସେବାୟତ ପରିଷଦ ମୁଖ୍ୟ । ମାଆ ବିରଜାଙ୍କ ପୀଠର ବିକାଶ ହେଲେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବା ସହ ସେବାୟତଙ୍କ ରୋଜଗାର ମଧ୍ୟ ବଢ଼ିବ ।

ଦେଶର ୬୮ ଓ ରାଜ୍ୟର ୧୮ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଯାଜପୁରର ବିରଜା ପୀଠ । ବହୁ ପୂରାତନ କାଳରୁ ମନ୍ଦିରରେ ଇତଃସ୍ତତ ଭାବେ ପଡିଥିବା ବେଳେ ଏହାକୁ ନୂଆ ରୂପ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ମାଆଙ୍କ ପୀଠରେ ଆରମ୍ଭ ହୋଇଥିବା ଏହି ଉନ୍ନୟନ କାର୍ଯ୍ୟ ଶାରଦୀୟ ଦୁର୍ଗା ପୂଜା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।