ବୀର ମଉସାଙ୍କ ପାଖରେ ହାର ମାନିଛି ବୟସ । ୮୬ ବର୍ଷରେ ପାଣି ବୋହି ବୋହି ପୋଷୁଛନ୍ତି ପେଟ ।

151

କନକ ବ୍ୟୁରୋ: ବୟସ ତାଙ୍କ ଆଗରେ ହାର ମାନିଛି । ବଳ ତାଙ୍କ କାନ୍ଧରେ ଏବେ ବି ଭରି ରହିଛି । କାନ୍ଧରେ ବାହୁଙ୍ଗୀ, ଆଉ ଟିଣ ଭର୍ତ୍ତି ପାଣି । କାମରେ ଲାଗିଛନ୍ତି ୮୦ ବର୍ଷର ବୁଢା ମଉସା ।
ବୀର ମୁଦୁଲ, ନା ଯେମିତି ତାଙ୍କ କାମ ବି ଠିକ୍ ସେମିତି । କିଏ ତାଙ୍କୁ ବୀର ଅଜା ଡାକେ ତ ଆଉ କିଏ ଡାକେ ବୀର ମଉସା । ବାଳକାଟି ବଜାରରେ ବାହୁଙ୍ଗୀ ଧରି ବୁଲୁଥିବା, ଏ ବୁଢା ମଣିଷ କିନ୍ତୁ ବୟସକୁ ମାତ୍ ଦେଇଛନ୍ତି । ବଡ ବଡ ବାହୁବଳୀ ଯେଉଁ ବୟସରେ ବସିପଡିବେ, ସେ ବୟସରେ ସେ କାମ ଲାଗିଛନ୍ତି ।

ଚମ ଧୁଡୁ ଧୁଡୁ ହେଇଗଲାଣି, ବୟସ ବି ବେଶ୍ ଗଡିଗଲାଣି । କାନକୁ ଟିକେ ଶୁଭିଲେ, ଦି କଥା ଶୁଭୁନି । ହେଲେ ଏ ବୟସରେ ବି ସେ ଥକିପଡିନାହାଁନ୍ତି । ଆଜି ବି ବଜାରରେ ତାଙ୍କ ପାଦ ଚାଲେ । ଆଉ ଦୋକାନ ଦୋକାନ ବୁଲି, ଟିଣ ବାହୁଙ୍ଗୀରେ ସେ ଯୋଗେଇ ଦିଅନ୍ତି ପିଇବା ପାଣି ।

ବର୍ଷେ କି ଦି ବର୍ଷ ନୁହେଁ ଗଲା ୪୨ ବର୍ଷ ହେଲା ଏମିତି ଚାଲିଛି ବୀର ମଉସା ଜୀବନ । ବୟସ ଆସି ୮୦ ଡେଇଁଲାଣି । ପିଲା ଛୁଆ ବି ଘର ସଂସାର କଲେଣି । ହେଲେ ଆଜି ବି ବୀର ମଉସା ଟିଣରେ ପାଣି ବୋହୁଛନ୍ତି, ଆଉ ନିଜ ପେଟ ନିଜେ ପୋଷୁଛନ୍ତି ।

କୁମ୍ଭାର ଘରର ପୁଅ ବୀର ମଉସା ହାଣ୍ଡି, ମାଠିଆ, ଦୀପ କାମ କରି ପରିବାର ପୋଷୁଥିଲେ । ହେଲେ ଯେବେଠୁ ସାତ ଜନ୍ମର ସାଥୀ ହେବାକୁ କହି ବୀରଙ୍କ ପତ୍ନୀ ତାଙ୍କ ଛାଡି ଚାଲିଥିଲେ । ସେବେଠୁ କୂଳ ବେଉସା ଛାଡି ବଜାରରେ ପାଣି ଯୋଗେଇବା ଆରମ୍ଭ କରିଥିଲେ ବୀର ମଉସା ।

ଏହା ଭିତରେ ୪୨ ବର୍ଷ ବିତିଗଲାଣି । ବାଳକାଟି ବଜାରରେ ପାଣି ଯୋଗେଇବା ବି କମିଗଲାଣି । ପୂର୍ବରୁ ୨୦/୩୦ ଦୋକାନରେ ବୀର ମଉସା ପାଣି ଦେଉଥିଲେ । ହେଲେ ଏବେ ସେ ସଂଖ୍ୟା ଆସି କେବଳ ୮/୧୦ ସୀମିତ । ତଥାପି ତାରି ଭିତରେ ଯେତିକି ହେଉଛି…ସେତିକି ପେଟ ପୋଷି ନେଉଛନ୍ତି ସମସ୍ତଙ୍କ ପ୍ରିୟ ବୀର ମଉସା ।

ବୀର ମୁଉସାଙ୍କ ଘରେ ତାଙ୍କ ପୁଅ ବୋହୁ ଅଛନ୍ତି, ନାତି ନାତୁଣୀ ବି ସମସ୍ତେ ଅଛନ୍ତି । ବଡ ପୁଅ ଶ୍ରମିକ ଭାବେ କାମ କରୁଥିବାବେଳେ, ସାନ ପୁଅ ପୋଲିଓ ଆକ୍ରାନ୍ତରେ ଭିନ୍ନକ୍ଷମ । ଦ୍ରାରିଦ୍ୟର କଷାଘାତ ଭିତରେ ବି ବୀର ମଉସା ଜୀବନରେ କେବେ ପଛଘୁଞ୍ଚା ଦେଇନାହାଁନ୍ତି । ଆଜି ବି ବଜାରରେ ତାଙ୍କ ପାଦ ଚାଲେ, ଆଜି ବି ସେ ତାଙ୍କ କାମ ସେମିତି କରିଚାଲନ୍ତି ।