କନକ ବ୍ୟୁରୋ: ଗତ ୧୦ ବର୍ଷ ହେଲା, ନିର୍ବାଚନ ବେଳେ ରାଜ୍ୟରେ କଂଗ୍ରେସ ଛାଡୁଛନ୍ତି ନେତା । ୨୦୧୪, ୨୦୧୯ ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ, ନିର୍ବାଚନ ଆସିଲେ କିଛି କଂଗ୍ରେସ ନେତା ଦଳ ଡେଇଁଥାନ୍ତି । ୨୦୨୪ରେ ଆରମ୍ଭ ହୋଇଛି ସେହି ପ୍ରକ୍ରିୟା ।

Advertisment

ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ଅନୁଗୁଳର ଜିଲ୍ଲା ସଭାପତି ଥିବା ବିପ୍ଳବ ଜେନା, କଂଗ୍ରେସ ଛାଡିଛନ୍ତି । ସେହି ସମାନ ଅଭିଯୋଗ, ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ ଦଳ ।

ଅଂଶୁମାନ ମହାନ୍ତି ‘ହାତ’ ଛାଡି ଦଳ ବଳ ସହ ବିଜେଡିରେ ମିଶିବା ପରେ ଆଜି ବିପ୍ଳବ ଜେନା ବିଜେଡିରେ ସାମିଲ ହୋଇଛନ୍ତି । ତେବେ ବିପ୍ଳବଙ୍କ ସହ ତାଙ୍କର ପ୍ରାୟ ୧୫୦୦ ସମର୍ଥକ ଶାସକ ଦଳରେ ଯୋଗ ଦେଇଛନ୍ତିି । ଏହି ମିଶ୍ରଣ ଉତ୍ସବରେ ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉପସ୍ଥିତ ଥିଲେ । ବିଜେଡିରେ ଯୋଗ ଦେବା ପରେ ବିପ୍ଳବ ଜେନା କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଦଳରେ ସାମିଲ ହୋଇଛନ୍ତି ।

ଚର୍ଚ୍ଚା ହେଉଛି ନିହାର ମହାନନ୍ଦ ମଧ୍ୟ ଖୁବଶୀଘ୍ର ଶାସକ ଦଳରେ ଯୋଗ ଦେଇପାରନ୍ତି । ଏହା ମଧ୍ୟ ଚର୍ଚ୍ଚା ହେଉଛି, କେନ୍ଦ୍ରାପଡ଼ାର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ବିଜେଡି ଆଡକୁ ଢଳୁଛନ୍ତି । ତେବେ ରାଜ୍ୟରେ କଂଗ୍ରେସ ଛିଡ଼ି ଛିଡ଼ି ଚାଲିଥିବା ବେଳେ ଅନ୍ୟପଟେ ତୃଣମୂଳ ସ୍ତରରେ ଦଳ କିପରି ସୁଦୃଢ଼ ହେବ, ଜିଲ୍ଲା ସଭାପତିମାନଙ୍କ ବୈଠକରେ ଆଲୋଚନା ହୋଇଛି । ଏଥିରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଶରତ ପଟ୍ଟନାୟକ କହିଛନ୍ତି, କିଛି ନେତା ଦଳ ଛାଡିଲେ ଏହାର ପ୍ରଭାବ କଂଗ୍ରେସ ଉପରେ ପଡିବ ନାହିଁ । ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି, ଆଗକୁ ଆହୁରି ନେତା ଦଳ ଛାଡିପାରନ୍ତି । ଦଳକୁ ଏକାଠି କରିବା ପାଇଁ ଏବେ ସମୟ କମ ରହିଛି ।

ଅନ୍ୟପଟେ ଆଜି ଘର ବାହୁଡ଼ା କରିଛନ୍ତି ପୂର୍ବତନ ଯୁବକଂଗ୍ରେସ ସଭାପତି ମିଲନ ପଟ୍ଟନାୟକ । କଂଗ୍ରେସ ଛାଡ଼ି ସେ ବିଜେପିରେ ସାମିଲ ହୋଇଥିଲେ, ପୁଣି ଏବେ କଂଗ୍ରେସକୁ ଫେରି ଆସିଛନ୍ତି ମିଲନ ।