ତାଲିବାନୀଙ୍କୁ ନେଇ ବଡ ବୟାନ ଦେଲେ ସିଡିଏସ୍ । ଜେନେରାଲ ବିପିନ ରାୱତ କହିଲେ, ଆଫଗାନିସ୍ତାନକୁ କବଜା କରିବା ପରେ ଭାରତକୁ ଆତଙ୍କବାଦୀ ପଠାଇପାରେ ତାଲିବାନ୍, ଆଗୁଆ ଆକଳନ କରି ପ୍ରସ୍ତୁତ ରହିଛି ସେନା ।

545

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଆତଙ୍କରାଜ ଆହୁରି ବଢିବାର ସମ୍ଭାବନା ରହିଛି । ଆମେରିକା ବି ବାରମ୍ବାର ଆଇଏସଆଇଏସକୁ ନେଇ ବୟାନବାଜି କରୁଛି । ସେପଟେ ଭାରତରେ ବି ଏହାର ପ୍ରଭାବ ପଡିବା ନେଇ ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ । ହେଲେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ଅଛନ୍ତି ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ତାଲିବାନୀଙ୍କୁ ନେଇ ସିଡିଏସ୍ ଜେନେରାଲଙ୍କ ବୟାନ । ଭାରତରେ ବଢିପାରେ ଆତଙ୍କବାଦୀ ଗତିବିଧି । ଆଫଗାନିସ୍ତାନରେ ତାଲିବାନର କବଜା ପରେ ଭାରତ ଉପରେ କଣ ପ୍ରଭାବ ପଡିବ ସେନେଇ ବଡ ବୟାନ ରଖିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ । ବୁଧବାର ଦିଲ୍ଲୀରେ ଏକ କାର୍ଯକ୍ରମରେ ଯୋଗଦେବା ସମୟରେ ବିପିନ ରାୱତ କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ । ଏଭଳି ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ସେନା । ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟରେ କୌଣସି ତଫାତ ନାହିଁ । ଏଥର କେବଳ ସହଯୋଗୀ ବଦଳାଇ ତାଲିବାନ ଫେରିଥିବା କହିଛନ୍ତିି ଜେନେରାଲ ରାୱତ । ଏକବିଂଶ ଶତାବ୍ଦିରେ ଭାରତ-ଆମେରିକା ସମ୍ବନ୍ଧ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ସିଡିଏସ୍ ।

ଆଫଗାନିସ୍ତାନକୁ ତାଲିବାନ୍ କବଜା କରିବା ପରେ ଭାରତରେ କିପରି ଆତଙ୍କବାଦୀଙ୍କ ଗତିବିଧି? ଭାରତରେ ଏହାର କିପରି ପ୍ରଭାବ ପଡିପାରେ? ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା । ଏଥିପାଇଁ ଆଗୁଆ ରଣନୀତି କରି ସେନା ପ୍ରସ୍ତୁତ ହେଉଥିବା ସିଡିଏସ୍ କହିଛନ୍ତି । କେବଳ ଭାରତ ନୁହଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆତଙ୍କବାଦ ଏକ ବଡ଼ ବିପଦ । ଏଥିପାଇଁ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି ।

ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଆଫଗାନିସ୍ତାନର ଅସ୍ତ୍ରଶସ୍ତ୍ର ଭଣ୍ଡାର ତାଲିବାନ କବଜାକୁ ଚାଲିଆସିଛି । ଏହି ଅସ୍ତ୍ର ଭଣ୍ଡାରରେ ବିପୁଳ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଥିଲା । ସୂଚନା ଅନୁସାରେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ବୁହାଇବାରେ ଲାଗିଛନ୍ତି । ପାକିସ୍ତାନ ଉଗ୍ରବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏପରି ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଭାରତର ବରିଷ୍ଠ ସେନା ଅଧିକାରୀ କହିଛନ୍ତି ।