କନକ ବ୍ୟୁରୋ : ବିଶ୍ୱକପ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏନେଇ ଖୋଦ୍ ସୌରଭ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସୌରଭଙ୍କ ବାୟୋପିକକୁ ନେଇ ଲବ ରଞ୍ଜନ ଓ ଅଙ୍କୁର ଗର୍ଗ ଫିଲ୍ମ ନିର୍ମାଣ କରିବେ । ଏନେଇ ଲବ ରଞ୍ଜନ ଇନଷ୍ଟାଗ୍ରାମରେ ଘୋଷଣା କରିବା ସହ କହିଛନ୍ତି, ଖେଳ ଆରମ୍ଭ ।

Advertisment

ସୌରଭ ଗାଙ୍ଗୁଲି । ବିସିସିଆଇର ସଭାପତି ଥିବା ସୌରଭ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରହିଛନ୍ତି । ୯୦ ଦଶକର କ୍ରିକେଟ କ୍ୟାରିୟର ଠାରୁ ବିସିସିଆଇ ସଭାପତି ପର୍ଯ୍ୟନ୍ତ, ବେଶ ରୋମାଞ୍ଚକର ରହିଛି ସୌରଭଙ୍କ ଯାତ୍ରା । ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ନିଜ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି । ବିଦେଶରେ ବିଜୟ ଠାରୁ ଆରମ୍ଭ କରି ଯୁବ କ୍ରିକେଟରଙ୍କୁ ପ୍ରତିଭାସମ୍ପନ୍ନ କ୍ରିକେଟର ଭାବେ ଗଢିତୋଳିବା କ୍ଷେତ୍ରରେ ସୌରଭଙ୍କ ଅବଦାନ ଅତୁଳନୀୟ । ଗାଙ୍ଗୁଲି ଭାରତୀୟ କ୍ରିକେଟକୁ ଏକ ନୂଆ ପରିଚୟ ଦେଇଥିଲେ । ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ହେଉ କି ସଠିକ୍ ସମୟରେ ୱିକେଟ ନେଇ ଦଳ ପାଇଁ ସୁରକ୍ଷାକବଚ ସାଜିଥାନ୍ତି ସୌରଭ । ବିଦେଶ ମାଟିରେ ଦଳକୁ ବିଜୟ ଭେଟିଦେବାର ଧାରା ସୌରଭଙ୍କ ପାଖରୁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୌରଭଙ୍କ ଅଧିନାୟକତ୍ୱ ସମୟରେ ଦଳ ବୀରେନ୍ଦ୍ର ସେହୱାଗ, ଯୁବରାଜ ସିଂ, ହରଭଜନ ସିଂ, ମହମ୍ମଦ କୈଫ, ଜାହିର ଖାନ, ଆଶିଷ ନେହେରାଙ୍କ ଭଳି ଖେଳାଳି ଟିମ୍ ଇଣ୍ଡିଆ ପାଇଛି ।

ତେବେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମେ ବେଙ୍ଗଲ କ୍ରିକେଟ ଆସୋସିଏସନ ଏବଂ ତାପରେ ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ସୌରଭ । ଗତ କିଛି ଦିନ ପୂର୍ବେ ବୀରେନ୍ଦ୍ର ସେହୱାଗଙ୍କ ସହ ସୌରଭ କେବିସିକୁ ଯାଇଥିଲେ । ପୂର୍ବରୁ ଟିଭି ପରଦାରେ ସୌରଭ ନଜର ଆସିଥିବା ବେଳେ ଖୁବଶୀଘ୍ର ବଡ ପରଦାରେ ନଜର ଆସିବ ଗାଙ୍ଗୁଲିଙ୍କ କ୍ରିକେଟ ଜୀବନୀ । ସୌରଭଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଥିବା ପ୍ରଡକ୍ସନ ସଂସ୍ଥା  ଲବ୍ ଫିଲ୍ମସ ଏହାପୂର୍ବରୁ ସୋନୁ କି ଟିଟୁ କି ସ୍ୱିଟି, ଦେ ଦେ ପ୍ୟାର ଦେ, ମଲଙ୍ଗ, ଛଲାଙ୍ଗ ଭଳି ସଫଳ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି । ତେଣୁ ସୌରଭଙ୍କ ଜୀବନୀକୁ ନେଇ ଲବ କିଭଳି ଫିଲ୍ମ ନିର୍ମାଣ କରୁଛନ୍ତି ତାହା ଉପରେ ସୌରଭଙ୍କ ପ୍ରଂଶସକ ସହ ଦର୍ଶକଙ୍କର ନଜର ରହିବ ।