କନକ ବ୍ୟୁରୋ : ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ । ଆଧାରକାର୍ଡ଼ ପାଇଁ ଦିବ୍ୟାଙ୍ଗ ପୁଅକୁ ୬ ବର୍ଷ ପରେ ଫେରିପାରିଲେ ପରିବାର । ଏଭଳି ଏକ ନିଆରା ଦୃଶ୍ୟ କେନ୍ଦୁଝରରେ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୭ରେ କେନ୍ଦୁଝର ବଜାରରେ ଦିବ୍ୟାଙ୍ଗ ନାବାଳକ ଜଣଙ୍କ କାନ୍ଦି କାନ୍ଦି ବୁଲୁଥିଲା ।

Advertisment

ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର କର୍ମକର୍ତା ତାଙ୍କୁ ଉଦ୍ଧାର କରି ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରକୁ ପଠାଇଥିଲେ । ନାବାଳକ ଜଣଙ୍କ ମୁକ ଓ ବଧିର ହୋଇଥିବାରୁ ନା କାହା କଥା ଶୁଣିପାରୁଥିଲା । ନା କାହା ପ୍ରଶ୍ନର ଉତର ଦେଇପାରୁଥିଲା । ଘରର ଠିକଣା ଓ ସେ କେମିତି ଏଠାକୁ ଆସିଲା ସେକଥା ବି କହିପାରିନଥିଲା ନାବାଳକ । ସେହି ସମୟରେ ଶିଶୁଟିର ସମ୍ପର୍କରେ ଜାଣିବାକୁ ଖବର କାଗଜ ଓ ଗଣମାଧ୍ୟମରେ ଅନେକ ପ୍ରଚାର ପ୍ରସାର କରାଯାଇଥିଲା । ହେଲେ ତା’ ପରିବାରର ଠିକଣା ମିଳିପାରିନଥିଲା ।

ଶେଷରେ ୬ ବର୍ଷ ପରେ ତାର ଆଧାର କାର୍ଡ଼ ପାଇଁ ଟିପ ଚିହ୍ନ ନେବା ବେଳେ ତା’ର ଆଗରୁ ଆଧାର କାର୍ଡ଼ ଥିବା କଥା ଜଣାପଡ଼ିଥିଲା । ଶିଶୁଟି ବିହାର ଦରଭଙ୍ଗା ଜିଲ୍ଲା ରାମ କିଶୋର ଯାଦବଙ୍କ ପୁଅ ବୋଲି ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ରାମକିଶୋରଙ୍କୁ ଯୋଗାଯୋଗ କରାଯାଇଥିଲା । ରାମ କିଶୋର କେନ୍ଦୁଝରରେ ପହଞ୍ଚି ତାଙ୍କ ହଜିଲା ପୁଅକୁ ଫେରିପାରିବା ପରେ ଖୁସିରେ ଅଧିର ହୋଇପଡ଼ିଥିଲେ ।