ବିଞ୍ଝାରପୁର ବାଜି ଜିତିବ କିଏ? ‘ୱାନ ମ୍ୟାନ୍ ଆର୍ମି’ ସାଜି ବିଜେଡିର ଗଡ ସମ୍ଭାଳିଛନ୍ତି ପ୍ରମିଳା, ୧୯ ବର୍ଷର ଗଡ ଭାଙ୍ଗିବାକୁ ବିରୋଧୀ ବିଜେପି-କଂଗ୍ରେସର ଗୋଟିଚାଳନା ।
କନକ ବ୍ୟୁରୋ : ଉପକୂଳ ଓଡିଶାର ଏକ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ବିଞ୍ଝାରପୁର ରାଜ୍ୟ ରାଜନୀତିରେ ଏକ ଟ୍ୟାଗ୍ ହାସଲ କରିଛି । ୫ ଥର ବିଜୟୀ ହେବା ସହ ବିଞ୍ଝାରପୁରରେ ଅଣକଂଗ୍ରେସ ଦୁର୍ଗ ତିଆରି କରିଥିବା ପୂର୍ବତନ୍ତ୍ରୀ ମନ୍ତ୍ରୀ ତଥା ରାଜ୍ୟ ରାଜନୀତିରେ ନାରୀ ନେତ୍ରୀଙ୍କ ମଧ୍ୟରେ ଏକ ପରିଚିତ ନାଁ ପାଲଟିଥିବା ପ୍ରମିଳା ମଲ୍ଲିକ ୧୯ରେ ପୁଣିଥରେ ବିଜେଡିର ଏହି ଗଡ ରକ୍ଷା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ପରାକ୍ରମୀ ପ୍ରମିଳାଙ୍କୁ ଏଠାରେ ବିଜେପି ଓ କଂଗ୍ରେସର କିଏ ଟକ୍କର ଦେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲାର ଏକ ମାତ୍ର ସଂରକ୍ଷିତ ବିଧାନସଭା ଆସନ ହେଉଛି ବିଂଝାରପୁର। ନବେ ଦଶକରୁ ବିଧାୟିକା ପ୍ରମିଳା ମଲିକ ଏଠାରେ ଅଣକଂଗ୍ରେସ ଶିବିର ନେତୃତ୍ବ ନେଇଆସୁଛନ୍ତି। ମାତ୍ର ଥରେ ୧୯୯୫ ମସିହାରେ ପ୍ରମିଳା ପରାସ୍ତ ହୋଇଥିବା ବେଳେ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ଏଠାରେ ନିଜର ଦୁର୍ଗ ପ୍ରତିଷ୍ଠା କରିଛନ୍ତି। ୨୦୦୦ ମସିହାରୁ ଲଗାତର ୪ଥର ବିଜୟୀ ହୋଇଥିବା ପ୍ରମିଳା ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବେ ବୋଲି କିଛି ଦିନ ହେଲା ଆଲୋଚନା ହେଉଥିଲା।
ଏଭଳି ଚର୍ଚ୍ଚା ହେବା ପଛର ମୁଖ୍ୟ କାରଣ ଥିଲା ପଞ୍ଚାୟତ ନିର୍ବାଚନର ଫଳାଫଳ । ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କୁ ଜୋରଦାର ଝଟକା ଦେଇଥିଲେ । ସବୁଜ ଗଡରେ ଅଦିନିଆ ପଦ୍ମ ଫୁଟିବା ପରେ ପ୍ରମିଳାଙ୍କ ପଲିଟିକାଲ କ୍ୟାରିୟର ଶେଷ ହୋଇଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ଆସୁଥିବା ବବିତା ମଲିକ୍ ଓ ଦଳର ଅନ୍ୟ ଛାମୁଆ ନେତା ମାନେ ପଦ୍ମ ଧରିବା ପରେ ଏହି ଆଶଙ୍କା ଆହୁରି ବଢି ଯାଇଥିଲା । ତେବେ ସବୁଜ ଗଡରେ ଫୁଟିଥିବା ଅଦିନିଆ ପଦ୍ମ ପ୍ରମିଳାଙ୍କ ପଲିଟିକାଲ ରଣନୀତି ଆଗରେ ବେଶି ସମୟ ତିଷ୍ଠି ରହିପାରିନଥିଲା । ଯେଉଁ ଦୁଇ ଜିଲ୍ଲା ପରିଷଦ ସଦସ୍ୟ ସବୁଜ ଗଡରେ ପଦ୍ମ ଫୁଟାଇଥିଲେ ସେମାନଙ୍କୁ ନିଜ ଶିବିରକୁ ଆଣି ବିଜେପିର ବିଞ୍ଝାରପୁର ଦଖଲ ଅଭିଯାନକୁ ବଡ ଧକ୍କା ଦେଇଥିଲେ ପ୍ରମିଳା ।
ଆଉ ଏହାସହ ଦଶରଥପୁର ଓ ବିଂଝାରପୁର ବ୍ଲକର ମୋଟ ୮ଟି ଜିଲ୍ଲା ପରିଷଦ ସଭ୍ୟ ଏବେ ବିଜେଡିର ହୋଇଯାଇଛନ୍ତି। ‘ୱାନ ମ୍ୟାନ୍ ଆର୍ମି ଫର୍ମୁଲା’ରେ ପ୍ରମିଳା ନିଜକୁ ବିଜେଡିର ଅପ୍ରତିଦ୍ବନ୍ଦ୍ବୀ ନେତ୍ରୀ ରୂପେ ବିଂଝାରପୁରରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମହିଳା କାର୍ଡ଼ ଦୃଷ୍ଟିରୁ ପ୍ରମିଳାଙ୍କ ଆସନ ଏକ ପ୍ରକାର ସୁରକ୍ଷିତ। ମାତ୍ର ତାଙ୍କୁ ସାଂସଦ ଭାବେ ପ୍ରାର୍ଥୀ କରିବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଯୋଜନା କରିଛନ୍ତି।
ଅନ୍ୟପଟେ ବିଜେପି ରାଡାରରେ ଥିବା ବିଞ୍ଝାରପୁର ଟିକେଟ ହାତେଇବା ପାଇଁ ଦୁଇ ଆଶାୟୀ ପ୍ରାର୍ଥୀ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । କଂଗ୍ରେସ ହାତ ଛାଡି ପଦ୍ମ ଧରିଥିବା ବବିତା ମଲ୍ଲିକ ଟିକେଟ ଦାବିଦାର ଭାବରେ ନିଜକୁ ଉପସ୍ଥାପିତ କରିବାକୁ ଆଦୌ ସୁଯୋଗ ହାତଛଡା କରୁନଥିବା ବେଳେ ଗତଥର ବିଜେପିରୁ ଲୋକସଭା ନିର୍ବାଚନ ଲଢିଥିବା ଅମୀୟ ମଲ୍ଲିକ ମଧ୍ୟ ବିଞ୍ଝାରପୁର ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ ଲବି ଆରମ୍ଭ କରିଛନ୍ତି । ତେବେ ବିଜେପିର ନୂଆ ଓ ପୁରୁଣା ନେତା ଫର୍ମୁଲା ଏବେ ବିଞ୍ଝାରପୁରରେ ଦଳକୁ ଅଡୁଆରେ ପକାଇଛି । ତଥାପି ଦଳ ଏଠାରେ ବିଜେଡିକୁ କାଣ୍ଟେ କି ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।
ସେହିଭଳି କଂଗ୍ରେସ ମଧ୍ୟ ଏଠାରେ ୧୯ ବର୍ଷ ପରେ ଫେରିବାକୁ ଅଙ୍କ କଷୁଛି । ତେବେ ଦଳରୁ ବବିତା ବିଦାୟ ନେବା ପରେ କଂଗ୍ରେସ କିଛି ମାତ୍ରାରେ ଦୁର୍ବଳ ହୋଇପଡିଛି । କିନ୍ତୁ ଏଯାଏଁ ବିଞ୍ଝାରପୁରରେ ବଳ ହରାଇନାହିଁ ଦଳ । ବିଜେଡିକୁ ଟକ୍କର ଦେବାକୁ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା ମଲ୍ଲିକ ପ୍ରମୁଖ ଆଶାୟୀ ପ୍ରାର୍ଥୀ ରେସରେ ଆଗରେ ରହିଛନ୍ତି । ସେହିଭଳି କଂଗ୍ରେସରୁ ବିଜେପିକୁ ଓ ପରେ ବିଜେପିରୁ କଂଗ୍ରେସକୁ ଫେରିଥିବା ଟାଣୁଆ ଛାତ୍ରନେତା ମନୋରଞ୍ଜନ ଦାସ ମଧ୍ୟ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ଏଭଳି ସମୀକରଣ ମଧ୍ୟରେ ବିଞ୍ଝାରପୁରରେ ହେବାକୁ ଯାଉଛି ନିର୍ବାଚନ । କିନ୍ତୁ ଚଳିତ ନିର୍ବାଚନରେ ଏଠାରେ କିଏ ବାଜି ମାରିବ ତାହା କହିବା ମୁସ୍କିଲ । କାରଣ ବିଧାୟିକା ପ୍ରମିଳାଙ୍କ ବିରୋଧରେ ଜନ ଅସନ୍ତୋଷ ବଢିଥିବା ବେଳେ ଏହାର ଫାଇଦା ନେବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।