ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି

ବିନ୍ଦୁସାଗର ପ୍ରକଳ୍ପ କାର୍ଯ୍ୟକ୍ରମରେ ଅପରାଜିତା ବନାମ ଅଶୋକ ପଣ୍ଡା । ଅପରାଜିତା ବିନ୍ଦୁସାଗର ଓ ଲିଙ୍ଗରାଜଙ୍କ ପ୍ରସଙ୍ଗରେ ଉଠାଇଲେ ପ୍ରଶ୍ନ

307

କନକ ବ୍ୟୁରୋ: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ଜୋର ଧରିଲା ନାରାବାଜିର ପ୍ରତିଯୋଗୀତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ହୋଇଥିଲା । ପୁରା ଅଂଚଳ ଏଥିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକ ଧର୍ମେନ୍ଦ୍ରଙ୍କ ସମର୍ଥନରେ ନାରାବାଜି କରିଥିଲେ । ପୁରା ଅଂଚଳରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ, ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତ।। ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କଣ କଣ କରିଛନ୍ତି ତାହାର ହିସାବ ଦେଇଥିଲେ ।

ତେବେ ଭୁବନେଶ୍ୱରରେ ଆରମ୍ଭ ହେବା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ସ୍ୱଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀ ଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ ।

ସେଥିପାଇଁ ଏହି କାମକୁ ହାତକୁ ନିଆଯାଉଛି । ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନଲଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି । ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।