ପରଲୋକରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । ୮୫ ବର୍ଷ ବୟସରେ ଆଖି ବୁଜିଲେ ‘ପାଟଦେଇ’

805

କନକ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । ଆଜି ୮୫ ବର୍ଷ ବୟସରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତେବେ ଜଣେ ଓଡିଆ ଗାଳ୍ପିକା ଭାବେ ସେ ବେଶ ପରିଚିତ ଥିଲେ ।

୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ମହାନ୍ତି ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟକରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ତେବେ ଓଡିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ସ୍ୱର୍ଗତ ବୀଣାପାଣି ମହାନ୍ତି । ଖାଲି ସେତିକି ନୁହେଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ସେ ଓଡିଶା ଲେଖିକା ସଂସଦର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ବୀଣାପାଣି ମହାନ୍ତି ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ଥିଲେ।

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ “ନାଉଗଛ” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । “ନାଉଗଛ” ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।