କନକ ବ୍ୟୁରୋ: ଭାଗ୍ୟର ଦିଗ କେତେବେଳେ ବଦଳିଯିବ, କିଏ ବା କହିପାରିବ । ବାପା, ମାଆଙ୍କୁ ହରାଇ ସାରିଥିବା ଜଣେ ଝିଅ, ଭାଇ ଭଉଣୀଙ୍କୁ ନେଇ ଦୁଇ ଓଳି ଖାଇବା ପାଇଁ ବି ସଂଘର୍ଷ କରୁଥିଲେ, ହେଲେ ଆଜି ସେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ଦଳର ପରିଚିତ ଅଲରାଉଣ୍ଡର ।

ବିଫଳତାର ବାହାନା ପାଇଁ ସମସ୍ୟାକୁ ଆଳ କରୁଥିବା ଯୁବପୀଢ଼ି ଏହି ଯୁବତୀଙ୍କ ଚେହେରା ଦେଖିବା ଦରକାର । ମୁଣ୍ଡ ଉପରେ ନା’ ବାପାଙ୍କ ଆଶୀର୍ବାଦ ଅଛି, ନା’ ଭାଗ୍ୟରେ ମା’ର ମମତା ଅଛି । ହେଲେ ବାପା-ମା’ ଏହି ଝିଅଟି ଯେଉଁ ସଫଳତା ପାଇଛନ୍ତି, ତାହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

  • ନା: ବୀଣା ମାଝୀ
  • ପେଶା: କ୍ରିକେଟର୍
  • ଓଡ଼ିଶା ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର

କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ୍ କଣ୍ଟାମାଳ ଗାଁର ବୀଣାଙ୍କ କାହାଣୀ ବେଶ ସଂଘର୍ଷମୟ । କ୍ୟାନସର୍ ରୋଗରେ ବାପା ଚାଲିଗଲେ, କରୋନା ସମୟରେ ମା’ ଆଖିବୁଜି ଦେଲେ । ବହୁ କଷ୍ଟରେ ବଢ଼ିଛନ୍ତି ୨ଭାଇ, ୨ଭଉଣୀ । ବଡ଼ ଭାଇ ମୂଲ ଲାଗି ଯାହା ଆଣନ୍ତି, ସେଥିରେ ୪ ଭାଇ ଭଉଣୀ ଚଳୁଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ, ଦିନେ କମ୍ପ୍ୟୁଟର ଅପରେଟର୍ ଚାକିରି ଖୋଜୁଥିବା ବୀଣା, ପାଲଟିଗଲେ କ୍ରିକେଟର୍ । ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମର ଉଦୀୟମାନ କ୍ରିକେଟର୍ ହେଉଛନ୍ତି ବୀଣା । କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଥିବା ଓଡ଼ିଶା ଦଳରେ ସକ୍ରିୟ ସଦସ୍ୟ ଥିଲେ କଳାହାଣ୍ଡିର ବୀଣା ମାଝୀ ।

ଖଲ୍ଲିକୋଟ କଲେଜରେ ଓଡ଼ିଶା ଦୃଷ୍ଟିବାଧିତ ମହିଳା କ୍ରିକେଟ୍ କ୍ୟାମ୍ପରୁ ଚିହ୍ନଟ ହୋଇଥିଲେ ବୀଣା । ତାଙ୍କ ଭିତରେ ଥିବା କ୍ରିକେଟ୍ ପ୍ରତିଭା, ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବୀଣା, ବ୍ୟାଟିଂ ଓ ବୋଲି ସହିତ ଭଲ ଫିଲ୍ଡିଂ ବି କରନ୍ତି । ବୀଣାଙ୍କ ଗାଁରେ ଯେତେବେଳେ ଆମ କ୍ୟାମେରା ଟିମ୍ ତାଙ୍କ ଘରେ ପହଞ୍ଚିଥିଲା । ସାମ୍ନାକୁ ଆସିଥିଲା ତାଙ୍କ ଦାରିଦ୍ର୍ୟତାର ଚିତ୍ର । ଭାଇ କାମକୁ ଯାଇଥିବା ବେଳେ ଉଉଣୀମାନେ ବି ଘରେ ନଥିଲେ । ହେଲେ ତାଙ୍କ ସଂଘର୍ଷର କାହାଣୀ କହଥିଲେ ପାଖ-ପଡ଼ୋଶୀ ।

ବୀଣାଙ୍କ ଏହି ସଂର୍ଘଷର କାହାଣୀ, ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ପ୍ରେରଣା ଦେବ ନିଶ୍ଚୟ । ଯେତେବେଳେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି, ସେତେବେଳେ ବୀଣାଙ୍କୁ ଆଗକୁ ବଢ଼ିବାରେ ସହାୟତାର ହାତ ବଢ଼ାଇବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।