ଭବ୍ୟ ସମାରୋହରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ପାକିସ୍ତାନ ଓ ଚୀନକୁ ମିଳିଲାନି ନିମନ୍ତ୍ରଣ, ବିମଷ୍ଟେକ ରାଷ୍ଟ୍ରର ପ୍ରମୁଖ ଶପଥଗ୍ରହଣ ଉତ୍ସବରେ ହେବେ ସାମିଲ ।

607

ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବେଶ ଭବ୍ୟ ଢଙ୍ଗରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ହେବ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଭବ୍ୟ ସମାରୋହରେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଦେଶ ଓ ବିଦେଶର ଅନେକ ଜଣାଶୁଣା ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିଦେଶ ମନ୍ତ୍ରାଳୟ ମୁତାବିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବିମଷ୍ଟେକ BIMSTEC ରାଷ୍ଟ୍ରମୁଖ୍ୟଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ପଡୋଶୀ ଦେଶ ସହ ସର୍ମ୍ପକ ସୁଦୃଢ ନୀତିକୁ ଦୃଷ୍ଟିରେ ରଖି ବିମଷ୍ଟେକ ରାଷ୍ଟ୍ର ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି । ବିମଷ୍ଟେକରେ ବାଂଲାଦେଶ, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ, ଭୂଟାନ ଓ ଭାରତ ସଦସ୍ୟ ରହିଛନ୍ତି । ଏହି ରାଷ୍ଟ୍ର ଗୁଡିକ ବ୍ୟତୀତ ଅର୍ନ୍ତଜାତୀୟସ୍ତରର ଅନ୍ୟ କିଛି ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇପାରେ ।ଯେଉଁଥିରେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ୍ ନେତ୍ୟାନାହୁ , ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ ରହିଛନ୍ତି ।

ଏସବୁ ଭିତରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ପଡୋଶୀ ପାକିସ୍ତାନ କିମ୍ବା ଚୀନକୁ ନିମନ୍ତ୍ରଣ କରାଯାଇନାହିଁ । ପଡୋଶୀ ରାଷ୍ଟ୍ର ସହ ଉତ୍ତମ ସର୍ମ୍ପକକୁ ପ୍ରାଥମିକତା ଦେଉଥିବା ମୋଦି ସରକାର ଗତ ୨୦୧୪ ନିର୍ବାଚନ ଶପଥଗ୍ରହଣ ଉତ୍ସବରେ ସାର୍କ ରାଷ୍ଟ୍ର ପ୍ରମୁଖଙ୍କୁ ନିମନ୍ତ୍ରଣ କରିଥିଲେ । ସାର୍କ ରାଷ୍ଟ୍ରରେ ସାମିଲ ଥିବା ପାକିସ୍ତାନ ଓ ଚୀନ ମଧ୍ୟ ଗତଥର ଭାରତର ନିମନ୍ତ୍ରଣ ରକ୍ଷା କରି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ବିଦେଶ ରାଷ୍ଟ୍ର ପ୍ରମୁଖଙ୍କ ବ୍ୟତୀତ ଦେଶର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କୁ ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡି, ଅଭିନେତାରୁ ନେତା ପାଲଟିଥିବା କମଲ ହସନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହାବାଦ୍ ଦେଶର ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଉତ୍ସବରେ ସାମିଲ ହେବାକୁ ଖୁବଶୀଘ୍ର ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି ।