ବାଜୁଛି ମାଟି ଶଙ୍ଖ: ଶଙ୍ଖ ଶୁଭିଲେ ଶିହରି ଯାଉଛି ତାଲୁରୁ ତଳିପା । ମଲା ମାଟିକୁ ଜୀବନ ଦେଇ ସୁରିଲା କରୁଛନ୍ତି ରେମୁଣାର ବିମଳା ରଥ

607

କନକ ବ୍ୟୁରୋ: ଶଙ୍ଖ ! ସଞ୍ଜ ହେଲେ ଚଉରା ମୂଳୁ ଶୁଭୁଥିବା ଏକ ପବିତ୍ର ଧ୍ୱନି, ଠାକୁର ଘରୁ ଭାସି ଆସୁଥିବା ଏକ ଆଧ୍ୟାତ୍ମିକ ତରଙ୍ଗ । ଶଙ୍ଖ ଶୁଭ କାମରେ ଶୁଭେ, ଧାର୍ମିକ କାର୍ଯ୍ୟରେ ବାଜେ । ଆଉ ବିପଦ ଆସିବା ଆଗରୁ ବି ଶଙ୍ଖ ବଜାଇ ସତର୍କ କରାଯାଏ । ତେଣୁ ତ ଶଙ୍ଖ ଆମ ସଂସ୍କୃତି, ଆମ ପରମ୍ପରାର ଏକ ଅଭିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁତି ହେବ ନାହିଁ । ଖାଲି ଯେ ସମୁଦ୍ରରୁ ମିଳୁଥିବା ଶଙ୍ଖ ବାଜେ ତାହା ନୁହେଁ, ମାଟିରେ ତିଆରି ଶଙ୍ଖ ବି ଖୁବ ସୁନ୍ଦର ଭାବେ ବାଜେ, ସୁରିଲା ସୁରିଲା ଶୁଭେ ।

ମାଟି ଶଙ୍ଖକୁ ଜୀବନ୍ୟାସ ଦେଇ ସେଥିରୁ ସୁନ୍ଦର ଧ୍ୱନି ବାହାର କରୁଥିବା ଶିଳ୍ପୀ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କୁଡିଆ, ଦୁର୍ଗାଦେବୀ ଗାଁର ବିମଳା ରଥ । ବୟସ ତାଙ୍କୁ ୬୦ ଛୁଇଁଲାଣି । ହେଲେ ବୟସର ଅପରାହ୍ନରେ ଥାଇ ବି ମାଟି ସହ ତାଙ୍କର ଆତ୍ମିୟତା ଛାଡୁନି । ବରଂ ନିଇତି ସକାଳ ହେବା କ୍ଷଣି ସେ ମାଟି ଧରି ବସି ପଡନ୍ତି ଆଉ ମାଟି ସହ ସମ୍ପର୍କ ଗଢି ଚାଲନ୍ତି । ମାଟି ସହ ମାଟି ହୁଅନ୍ତି, ମାଟିକୁ ମନ ଦିଅନ୍ତି, ଆଉ ସବୁ ପ୍ରକ୍ରିୟା ଶେଷରେ ମଲା ମାଟିରେ ଜୀବନ ସଞ୍ଚାର କରନ୍ତି ।

ପାଖାପାଖି ୩୦ ମିନିଟରେ ଗୋଟିଏ ମାଟି ଶଙ୍ଖ ତିଆରି କରି ଦିଅନ୍ତି ବିମଳା । କଞ୍ଚା ମାଟି ଶଙ୍ଖକୁ ପୋଡି ସେଥିରେ ରଙ୍ଗ ଦେଇ ଶେଷରେ ବଜାରକୁ ବିକ୍ରି କରିବାକୁ ଛାଡନ୍ତି । ମାଟି ଶଙ୍ଖର ଦାମ ମାତ୍ର ୧୦୦ ଟଙ୍କା ଥିବାବେଳେ ବଜାରରେ ଏହାର ଚାହିଦା ଢେର ରହିଛି । ତେବେ ବିମଳାଙ୍କ ଏ ନିଆରା ଉଦ୍ୟମକୁ ଆଉ ଦି ପାଦ ଆଗେଇ ନେବାକୁ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ସହାୟତା ମିଳିନି । ସରକାରୀ ସହାୟତା ମିଳିଲେ ସେ ଅଧିକରୁ ଅଧିକ ମାଟି ଶଙ୍ଖ ତିଆରି କରିପାରିବେ ବୋଲି ବିମଳା କହିଛନ୍ତି ।

ତେବେ ମାଟି ଶଙ୍ଖ ଗଢି ସାରା ବାଲେଶ୍ୱରରେ ଚର୍ଚ୍ଚାରେ ରହିଥିବା ବିମଳା କେବଳ ନିଜେ ଗଢନ୍ତିନି ବରଂ ଅନ୍ୟମାନଙ୍କୁ ଏହି କଳା ସେ ଶିଖାନ୍ତି । କଳାର ପ୍ରଚାର ପ୍ରସାର ପାଇଁ ବିମଳା ନାରାୟଣୀ ସ୍ୱୟଂ ସେବିକା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ କରିଛନ୍ତି । ଯେଉଁଥିରେ ସେ ୯ ଜଣ ମହିଳା ଓ ଯୁବତୀଙ୍କୁ ମାଗଣାରେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ତେବେ ମାଟି ଶଙ୍ଖରୁ ମଧୁର ସ୍ୱର ବାହାର କରି ବିମଳା ସ୍ୱାଭାଲମ୍ବୀ ହେବା ସହ ଏବେ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।