କନକ ବ୍ୟୁରୋ : ପୂର୍ବରୁ ବିଶ୍ୱାସ ରହିଆସିଛି ଯଦି କାହାର ମାନସିକ ପୂରଣ ହୋଇଯାଏ ତେବେ ସେମାନେ ତିରୁପତି ମନ୍ଦିର ଯାଇ ଲଣ୍ଡା ହୋଇଆସନ୍ତି । ଆଉ ବିନା କାରଣରେ ଯଦି କୌଣସି ଭକ୍ତ ଯାଆନ୍ତି ତେବେ ସେମାନେ କରିଥିବା ପାପର କ୍ଷୟ ପାଇଁ ମଧ୍ୟ କେଶ ଦାନ କରିଥାନ୍ତି । ପୁରୁଷ ଏବଂ ମହିଳା ସମସ୍ତେ ଏଠାରେ ମୁଣ୍ଡନ ହୋଇଥାନ୍ତି । କେଶ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଉଥିଲେ ବି ପ୍ରତିବର୍ଷ ଏଠାକୁ ଆସି ହଜାର ହଜାର ମହିଳା ଲଣ୍ଡା ହେଉଥିବାର ଦେଖାଯାଏ । ପାପ ଏବଂ ନିଜ ଭିତରେ ଥିବା ଅହଂକାରକୁ ବିନାଶ କରିବା ପାଇଁ ମହିଳାମାନେ ଏପରି କରୁଥିବା ବିଶ୍ୱାସ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି, ଏଠାରେ ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା କେଶକୁ ପ୍ରତିବର୍ଷ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଥାଏ ।
ଭକ୍ତମାନେ ଦାନ କରିଥିବା କେଶକୁ ଏକ ଶୀତତାପ ନିୟନ୍ତ୍ରିତ କୋଠରି ରଖାଯାଇଥାଏ । ଏହା ପୂର୍ବାରୁ କେଶକୁ ଗରମ ପାଣିରେ ପକାଇ ଭଲଭାବରେ ସୁଖାଯାଇଥାଏ । ଭଲଭାବରେ ସୁଖାଯିବା ପରେ ହିଁ ଶୀତମାନ ଯନ୍ତ୍ରରେ ରଖାଯାଇଥାଏ । ପରେ କେଶକୁ ଇ-ନିଲାମୀ ଦ୍ୱାରା ନିଲାମ କରାଯାଇଥାଏ । ପ୍ରତିବର୍ଷ ଟନ୍ ଟନ୍ କେଶ ବିକ୍ରି ହୋଇଥାଏ । ଯେଉଥିରୁ କୋଟି କୋଟି ଟଙ୍କା ଆୟ ହୋଇଥାଏ । ଏଠି ଆପଣ ଭାବୁଥିବେ, ଏତେ କେଶ ଯାଏ କୁଆଡେ, କଣ ହୁଏ ଏବଂ କାହିଁକି ବଡ ବଡ କମ୍ପାନୀ କେଶ କିଣନ୍ତି ? ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବ । ତେବେ ଆସନ୍ତୁ ଜାଣିବା କୋଟି କୋଟି ଟଙ୍କାରେ ବିକ୍ରି ହେଉଥିବା କେଶ କେଉଁ କ୍ଷେତ୍ରରେ ବ୍ୟବହାର ହୁଏ ।
ନିଲାମ ହେଉଥିବା କେଶରେ ୱିଗ୍ ତିଆରି କରାଯାଉଛି । ଚନ୍ଦାପଣରୁ ରକ୍ଷା ପାଇବା ପାଇଁ ଯେଉଁ ନକଲି କେଶର ବ୍ୟବହାର ଲୋକେ କରିଥାନ୍ତି, ତାକୁ ତିଆରି କରିବା ପାଇଁ ଭକ୍ତ ଦାନ କରିଥିବା କେଶ ବ୍ୟବହାର ହୋଇଥାଏ । ବଡ ବଡ ଅନ୍ତର୍ଜାତିୟ କମ୍ପାନୀମାନେ କେଶ କିଣି ୱିଗ୍ ତିଆରି କରି ଭଲ ବ୍ୟବସାୟ କରୁଛନ୍ତି । ମୁଖ୍ୟତଃ ୟୁରୋପ, ଚାଇନା, ଆଫ୍ରିକାରେ ୱିଗର ଚାହିଦା ଅଧିକ ରହିଛି ।
ତେବେ ତିରୁପତିରେ ପ୍ରତିଦିନ ପ୍ରାୟ ୨୦ ହଜାରରୁ ଅଧିକ ଭକ୍ତ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବାବେଳେ ଏମାନଙ୍କୁ ଲଣ୍ଡା କରିବା ପାଇଁ ପାଖାପାଖି ୬ହଜାର କର୍ମଚାରୀ ନିୟୋଜିତ ଅଛନ୍ତି ।