ଜିଏସଟ ନାଁରେ କୋଟି କୋଟି ଟଙ୍କାର ଠକେଇ : ଠକଙ୍କୁ ଧରିବା ପାଇଁ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସର ସ୍ୱତନ୍ତ୍ର ଅଭିଯାନ

ଗୋଟିଏ ମାସରେ ଧରାପଡିଲାଣି ୧୧ ଶହ କୋଟି ଟଙ୍କାର ଠକେଇ, ଚା ଦୋକାନୀଙ୍କ ପାନକାର୍ଡରେ ଜାଲ୍ କମ୍ପାନି ଖୋଲୁଛନ୍ତି ଠକ; ରାଉରକେଲା ପାଲଟିଛି ଜିଏସଟି ଠକେଇର ହବ୍

60

କନକ ବ୍ୟୁରୋ : ରାଜ୍ୟରେ ଜିଏସଟି ନାଁରେ ହେଉଥିବା କୋଟି କୋଟି ଟଙ୍କାର ଠକେଇକୁ ଧରିବା ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସ ଏହି ଅଭିଯାନ ଚଳାଇଥିବାବେଳେ ପ୍ରତିଦିନ ଧରା ପଡୁଛନ୍ତି ଜିଏସଟି ଠକ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଜିଜିିଆଇର ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ ।

୯ ନଭେମ୍ବରରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବାବେଳେ ଗୋଟିଏ ମାସ ଭିତରେ ୧୧ଶହ କୋଟି ଟଙ୍କାର ଜିଏସଟି ଠକେଇ ଧରା ପଡିଥିବା ସେ ସୂଚନା ଦେଇଛନ୍ତି । ଠକେଇ ବାବଦରେ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ଜିଏସଟି ଇଂଟେଲିଜେନ୍ସର ଅଧିକାରୀ ମାନେ ଚଢାଉ କରି ଠକମାନଙ୍କୁ ଧରୁଛନ୍ତି । ତେବେ ଚା ଓ ଅନ୍ୟ ସାଧାରଣ ଦୋକାନୀଙ୍କୁ ଚାକିରି ଦେବାକୁ କହି ଫ୍ରଡମାଷ୍ଟର ମାନେ ସେମାନଙ୍କ ପାନକାର୍ଡ ଜରିଆରେ ଜାଲ କମ୍ପାନି ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ କରୁଥିବାରୁ ଏଥିରୁ ବଂଚିବା ପାଇଁ ଲୋକେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

ତେବେ ବର୍ତମାନ ସୁଦ୍ଧା ରାଉରକେଲାରେ ବହୁ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ୯ ଜଣଙ୍କୁ ଗିରଫ କରାଗଲାଣି । ତେଣୁ ରାଉରକେଲା ଏକପ୍ରକାର ଜିଏସଟି ଠକେଇର ହବ ପାଲଟି ଯାଇଛି । ଗୁରୁବାର ମଧ୍ୟ ବହୁକୋଟି ଟଙ୍କା ଠକେଇ ମାମଲାରେ ରାଉରକେଲାରୁ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି ।