କନକ ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ରାଜ୍ୟ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । କୃଷି କ୍ଷେତ୍ରର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ୨୦୧୭ରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଛି ବିଲ୍ ଓ ମେଲିଣ୍ଡା ଗେଟସ ଫାଉଣ୍ଡେସନ । କୃଷିରେ ଜ୍ଞାନ କୌଶଳ ବ୍ୟବହାର ପାଇଁ କୃଷି ସମୀକ୍ଷା କେନ୍ଦ୍ରରେ କିପରି ଚାଷୀଙ୍କୁ ସୂଚନା ପ୍ରଦାନ କରାଯାଉଛି ପଚାରି ବୁଝିଛନ୍ତି ବିଲ୍ ଗେଟ୍ସ । ରିମୋଟ ସେନ୍ସିଂ ଓ ସ୍ପେସ୍ ଆପ୍ଳିକେସନ୍ ଭଳି ବ୍ୟବହାର ପାଇଁ ଆଧୁନିକ କୌଶଳ ବ୍ୟବହାର ପାଇଁ ବିଲ୍ ଗେଟ୍ସ ପରାମର୍ଶ ଦେଇଛନ୍ତି । ତାଙ୍କ ପରାମର୍ଶକୁ ଗ୍ରହଣ କରାଯିବ ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

Advertisment

ନଜର ପକାଇବା ରିମୋଟ ସେନ୍ସିଂ ଓ ସ୍ପେସ୍ ଆପ୍ଳିକେସନ୍ କ’ଣ? ଏହା କିପରି କୃଷି କ୍ଷେତ୍ରକୁ ପ୍ରଭାବିତ କରେ
କୃଷିକ୍ଷେତ୍ରରେ ପାଣିପାଗର ପ୍ରଭାବ ନେଇ ଆଗୁଆ ସୂଚନା ଦେବ
କେଉଁ ପରିବେଶରେ କେଉଁ ଚାଷ ଭଲ ହେବ ତାହା ଜାଣିହେବ
ମାଟିର ମାନ ସଂପର୍କରେ ଜଣାଇବା ସହ କେଉଁ ଫସଲକୁ ସୁହାଇବ, ଏ ନେଇ ସୂଚନା ଦେବ
ଚାଷ ପାଇଁ ଉପଯୁକ୍ତ ସମୟ ସଂପର୍କରେ ମଧ୍ୟ ଜାଣିହେବ

ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଥିଲେ ବିଲ୍ ଗେଟସ । ମିଶନ ଶକ୍ତି ବଜାର ବୁଲି ଦେଖିବା ସହ ଭୁବନେଶ୍ୱରର ମା’ ମଙ୍ଗଳା ବସ୍ତି ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ମିଶନ ଶକ୍ତି ବଜାରରେ ପହଁଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନ ଓ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କୋରାପୁଟ କାଫେ ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ବିଲ୍ ଗେଟ୍ସ । ପ୍ରାୟ ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହେବା ସହ ସେମାନେ କିପରି ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛନ୍ତି ତା’ର ଅନୁଧ୍ୟାନ କରିଛନ୍ତି   । ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । କୋରାପୁଟ କଫି ପିଇବା ସହ କନ୍ଧମାଳ ହଳଦୀ ଆଦି ସାମଗ୍ରୀ କିଣିଛନ୍ତି ବିଲ୍ ଗେଟ୍ସ ।

ସେହିପରି ମାଆ ମଙ୍ଗଳା ବସ୍ତିରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା । ବସ୍ତିବାସିନ୍ଦାଙ୍କୁ ଜମି ପଟା ମିଳିଛି କି ନାହିଁ, ପିିଇବା ପାଣି ଓ ପରମଳ ସୁବିଧା ଅଛି କି ନାହିଁ ପଚାରି ବୁଝିଥିଲେ ।