କନକ ବ୍ୟୁରୋ : ଓଡ଼ିଶା ମିଲେଟର ସ୍ୱାଦ ଯିଏ ଥରେ ଚାଖିଛି, ତାକୁ ମନେ ରଖିଛି । ଏକଥା ଆମେ କହୁନୁ, ବରଂ ବିଶ୍ୱର ବିଶିଷ୍ଟ ଶିଳ୍ପପତି ବିଲ୍ ଗେଟ୍ସ କହିଛନ୍ତି । ସେ କହିଛନ୍ତି ଓଡ଼ିଶା ମିଲେଟର ସ୍ୱାଦ ସେ ଭୁଲିନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ବେଳେ ଏକଥା କହିଛନ୍ତି ଗେଟ୍ସ । ବିଶ୍ୱର ଅନ୍ୟତମ ଧନୀ ଗେଟ୍ସ କହିଛନ୍ତି “ଓଡ଼ିଶା ଗସ୍ତରେ ଥିବା ବେଳେ ଜାଣିବାକୁ ପାଇଥିଲି ଯେ, ବହୁବର୍ଷ ପୂର୍ବେ ଦୀର୍ଘଦିନ ପର୍ଯ୍ୟନ୍ତ ମିଲେଟ ଲୋକଙ୍କ ପସନ୍ଦର ଖାଦ୍ୟ ଥିଲା । ସରକାରଙ୍କ ଉଦ୍ୟମରେ ତାହା ପୁଣିଥରେ ବଜାରକୁ ଫେରିଛି । ଆଉ ଏହା ଖାଇବାକୁ ଯେତେବେଳେ ସୁଯୋଗ ମିଳିଲା, ବହୁତ ଭଲ ଲାଗିଲା’

ମିଲେଟ ବ୍ୟବହାରର ପ୍ରସାର ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବି ଜୋର ଦେଇ ଆସୁଛନ୍ତି । ୨୦୨୩କୁ ଜାତିସଂଘ ମିଶି ମିଲେଟ ବର୍ଷ ଭାବେ ପାଳନ କରାଯାଇଥିଲା । ଅନାବାଦି ଜମିରେ ଚାଷ ହେଉଥିବା ମିଲେଟ ପାଇଁ ଅଳ୍ପ ପାଣି ଆବଶ୍ୟକ । ଏହାସହ ସାର ବି ଦରକାର ପଡ଼େନି । ବହୁତ ଲାଭକାରୀ ଗୁଣ ଥିବା ମିଲେଟକୁ ସୁପରଫୁଡ ବୋଲି କୁହାଯାଉଛି । ଏବେ ଖାଲି ସାଧାରଣ ଲୋକ ନୁହେଁ, ବରଂ ପଂଚତାରକା ହୋଟେଲର ମେନୁରେ ବି ମିଲେଟ ସାମିଲ ହେଲାଣି ।

ଚଳିତବର୍ଷ ଫେବ୍ରୁଆରୀ ଶେଷ ସପ୍ତାହରେ ବିଲ୍ ଗେଟସ୍ ଓଡ଼ିଶା ଗସ୍ତରେ ଆସି କୃଷିଭବନ ପରିଦର୍ଶନ କରିଥିଲେ । ମିଲେଟ କାଫେ ପରିଦର୍ଶନ କରିବା ସହ ମିଶନ ଶକ୍ତି ବଜାର ମଧ୍ୟ ବୁଲି ଦେଖିଥିଲେ । କୋରାପୁଟର କଫି ପିଇବା ସହ ମିଲେଟ ଜିନିଷ ବି ଘରକୁ ନେଇଥିଲେ ବିଲ୍ ଗେଟସ୍ ।