୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଛାଡ ପାଇଥିବା ଦୋଷୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଠନ କରିବ ଖଣ୍ଡପୀଠ

186

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ଆଦେଶ ବିରୋଧରେ ବିଲକିସ ବାନୋ ଦାୟର କରିଥିବା ପିଟିସନର ଶୁଣାଣୀ ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବା ପାଇଁ ଆଜି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ନୂଆ ଖଣ୍ଡପୀଠ ଗଠନ କରାଯିବ ବୋଲି ବାନୋଙ୍କ ମାମଲାକୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବନୀ ଶୋଭା ଗୁପ୍ତାଙ୍କୁ ପ୍ରଧାନବିଚାରପତି ଡି.ୱାଇ ଚନ୍ଦ୍ରଚୁଡ, ବିଚାରପତି ପିଏସ ନରସିଂହ ଓ ଜେପି ପାରଦୀପୱାଲା ପ୍ରତିଶ୍ରୁତି ଦେଇଛନ୍ତି  । ଶୁଣାଣୀ ସମୟରେ ବାନୋଙ୍କ ଓକିଲ କହିଥିଲେ କି ମାମଲାର ଜରୁରୀ ଶୁଣାଣୀ ଆବଶ୍ୟକ ରହିଛି । ଫେବ୍ରୁଆରୀ ମାସରୁ ଆବେଦନ କରାଯାଇଥିଲେ ବି ଏପର୍ଯ୍ୟନ୍ତ ଶୁଣାଣୀ ପାଇଁ ତାଲିକାଭୁକ୍ତ କରାଯାଇନି । ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କର କିଛି ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୧୧ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦାଣ୍ଡ ଭୋଗୁଥିଲେ ।