ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ ବିଦେଶ ମନ୍ତ୍ରୀ

781

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ ତଥା ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜରଦାରୀ, ଇରାନ ବାହାନାରେ ଭାରତକୁ କରିଛନ୍ତି ଟାର୍ଗେଟ । ଗୁରୁବାର ପାକିସ୍ତାନର ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ବିଲାବଲ କହିଛନ୍ତି, କୌଣସି ଦେଶ ଉପରେ ଏୟାରଷ୍ଟ୍ରାଇକ୍ କରିବା ଏବେ ଯେପରି ଏକ ଟ୍ରେଣ୍ଡ ପାଲଟି ଗଲାଣି । କିଛି ଦେଶ ନିଜ ବ୍ୟକ୍ତିଗତ ପ୍ରସଙ୍ଗକୁ ଛାଡି ଲୋକଙ୍କ ଧ୍ୟାନ ହଟାଇବା ଏବଂ ସେମାନଙ୍କୁ ଖୁସି କରିବା ପାଇଁ ଏଭଳି ଭୟଙ୍କର ଟ୍ରେଣ୍ଡ ଅନୁସରଣ କରୁଛନ୍ତି । ପାକିସ୍ତାନ ଏବେ ଇରାନ୍ ଉପରେ ଯେଉଁ ଆକ୍ରମଣ କରିଛି, ଏହା ତାର ହକ୍ । ଇରାନର ଲଗାତାର ଅନେକ ଆକ୍ରମଣ ପରେ ଏହାର ଜବାବ ଦେବାକୁ ବାଧ୍ୟ ହୋଇଛି ଆମ ଦେଶ ।

ନିଜ ସାକ୍ଷାତ୍କାରରେ ବିଲାବଲ ଭାରତକୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି । ବିଲାବଲ କହିଛନ୍ତି, ପାକିସ୍ତାନ ସବୁବେଳେ ନିଜ ଦେଶରେ ଆତଙ୍କବାଦୀଙ୍କୁ ଶରଣ ଦେଇ ଆସିଥାଏ । ପାକ୍ ସରକାର ଏହାକୁ ଅଣଦେଖା କରିବାରୁ ଇରାନ୍ ଏଭଳି ଏୟାରଷ୍ଟ୍ରାଇକ୍ କରିଛି । ଭାରତ ପାଇଁ ମଧ୍ୟ ପାକିସ୍ତାନ ଏଭଳି ସ୍ଥିତି ଉପୁଜାଇଥିଲା । ଯାହା ଫଳରେ ୨୦୧୯ରେ ବାଲାକୋଟ୍ରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଭାରତର ଏଭଳି ଏୟାରଷ୍ଟ୍ରାଇକ୍ ପରେ ଏହା ଏକ ଟ୍ରେଣ୍ଡ ପାଲଟି ଯାଇଛି । ନିଜ ଲୋକଙ୍କୁ ଖୁସି କରିବା ପାଇଁ ଆମ ଦେଶରେ ଆକ୍ରମଣ କରିଥିଲା ଭାରତ । ନିର୍ବାଚନ ସମୟ ଥିବାରୁ ଭାରତ ପାକିସ୍ତାନ ଉପରେ ମିଜାଇଲ ଆକ୍ରମଣ କରିଥିଲା । ସେହିପରି ଏବେ ଇରାନୀ ଘରୋଇ ସମସ୍ୟା ତେଜିବାରୁ ନିଜ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ବି ଆମ ଦେଶ ଉପରେ ଆକ୍ରମଣ କରିଛି ।

ମଙ୍ଗଳବାର ଇରାନ ଆକ୍ରମଣ ପରେ ବୁଧବାର ଏହାର ଜବାବ ଦେଇଛି ପାକିସ୍ତାନ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ଇରାନର ସିସ୍ତାନ ଓ ସରୱାନ ସହରରେ ରହିଛି ଏମାନଙ୍କ ମୁଖ୍ୟ ଠିକଣା । ପାକିସ୍ତାନ ଏହାକୁ ସେନା କାର୍ଯ୍ୟାନୁଷ୍ଠାନର ନାଁ ଦେଇଛି । ପାକ ସେନା ଅପରେସନ ନାଁ ଦେଇଛି ‘ମାର୍ଗ ବାର ସରମାଚାର’ । ଆକ୍ରମଣ ପରେ ପାକିସ୍ତାନ ସେନା ପକ୍ଷରୁ ବିବୃତି ଜାରି କରାଯାଇଛି । ପାକ ସେନା କହିଛି ୪୮ଘଂଟା ମଧ୍ୟରେ ଶତ୍ରୁଙ୍କୁ ଉଚିତ ଜବାବ ଦିଆଯାଇଛି । ସେପଟେ ଇରାନ୍ ଆକ୍ରମଣକୁ ଭାରତ ସମର୍ଥନ କରିଛି । ଭାରତ ବୈଦେଶିକ ମନ୍ତ୍ରାଳୟ ବୁଧବାର ଏକ ବୟାନ ଜାରି କରି କହିଛି, ଇରାନ ଯେଉଁ ନିଷ୍ପତ୍ତି ନେଇଛି ତାହା ଆତ୍ମରକ୍ଷା ପାଇଁ ଆବଶ୍ୟକ ଥିଲା । ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇ ଆସିଛି । ଯେଉଁ ବି ଦେଶ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାଙ୍କୁ ସମର୍ଥନ ଜଣାଇବ ଭାରତ ।