କନକ ବ୍ୟୁରୋ : ବିଳିବିଳେଇଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ମିଳିତ ଜାତିସଂଘରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆତଙ୍କବାଦର କେନ୍ଦ୍ର ପାକିସ୍ତାନ ବୋଲି କହିଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟର୍ଗେଟ୍ କରିଛନ୍ତି ଜୟଶଙ୍କରଙ୍କ ପ୍ରତିପକ୍ଷ । ଗୁଜରାଟର କଂସେଇ କହି ମୋଦୀଙ୍କୁ ଓସାମା ବିନ୍ ଲାଡେନ୍ ସହ ତୁଳନା କରିଛନ୍ତି ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ଲାଡେନ୍ ମୃତ୍ୟୁ ବରଣ କରି ସାରିଛି କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ରହିଥିବା କହିଛନ୍ତି ବିଲାୱଲ ।

Advertisment

ନ୍ୟୁୟର୍କର ସାମ୍ବାଦିକ ସମ୍ମିଳନୀ କରି ବିଲାୱଲ କହିଛନ୍ତି ଭାରତ ସରକାର ଗାନ୍ଧୀଙ୍କ ବିଚାରଧାରାରେ ବିଶ୍ୱାସ କରେ ନାହିଁ । ବରଂ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ବିଚାରଧାରାକୁ ଭାରତ ସରକାର ବିଶ୍ୱାସ କରୁଛନ୍ତି । ଭାରତ ସରକାର ହିଟଲର ଦ୍ୱାରା ପ୍ରଭାବିତ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି । ଏହାସହ ବିଲାୱଲ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ତାଙ୍କ ଉପରେ ବ୍ୟାନ୍ ଲଗାଇଥିଲା । ଉଭୟ ମୋଦୀ ଓ ଜୟଶଙ୍କର ଭାରତର ନୁହେଁ ବରଂ ଆରଏସଏସର ପ୍ରଧାନମନ୍ତ୍ରୀ ଓ ବୈଦିଶିକ ମନ୍ତ୍ରୀ ବୋଲି କହିଛନ୍ତି ।

ଆଉ ବେଲୁଚିସ୍ତାନ କଥା କହି ଭାରତ ବାହାରୁ ରହି ଏଠାରେ ଥିବା ଆତଙ୍କବାଦକୁ ସମର୍ଥନ କରୁଛି ବୋଲି ବିଲାୱଲ କହିଛନ୍ତି । ବେଲୁଚିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଛି । ତେଣୁ ଏପରି କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ।ମିଳିତ ଜାତିସଂଘରେ ଚୀନ ଓ ପାକିସ୍ତାନ ଉପରେ ବର୍ଷିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଆତଙ୍କବାଦକୁ ଦୁଇ ଦେଶ ପ୍ରୋତ୍ସାହନ ଦେଉଥିବା ଜୟଶଙ୍କର କହିଥିଲେ । ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ସ୍ଥଳ ରହିଥିବା ବେଳେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଫୋରମର ଅପବ୍ୟବହାର ହେଉଛି କହି ବେଜିଂକୁ ଟାର୍ଗେଟ କରିଥିଲେ ।