କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୀତି ଚଳଚଞ୍ଚଳ । ଖାସକରି ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ଆଉ ଏସବୁ ଭିତରେ ସିଦ୍ଧୁ ପ୍ରତିପକ୍ଷ ଦଳର ନେତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସିଦ୍ଧୁ ଶିରୋମଣି ଅକାଳୀ ଦଳର ପ୍ରାର୍ଥୀ ବିକ୍ରମ ସିଂ ମଜିଠିଆଙ୍କ ନାମାଙ୍କନକୁ ନେଇ କହିଛନ୍ତି, ଯଦି ତାଙ୍କର ସାହସ ଅଛି ତ ତେବେ ମଜିଠା ଛାଡି କେବଳ ପୂର୍ବ ଅମୃତସରରୁ ଲଢନ୍ତୁ । ବିକ୍ରମ ସିଂ ମଜିଠା ସହ ପୂର୍ବ ଅମୃତସରରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ ଏହାସହ ପୂର୍ବ ଅମୃତସରରେ ହାଇପ୍ରୋଫାଇଲ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବ ଅମୃତସରରୁ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଟିକେଟ ଦେଇଛି ଦଳ । ତେଣୁ ବିକ୍ରମ ସିଂ ଏଠାରୁ ନାମାଙ୍କନପତ୍ର ଦାଖଲ କରିବା ଏହି ଲଢେଇକୁ ରୋଚକ କରିଛି । କାରଣ ସିଦ୍ଧୁ ଓ ବିକ୍ରମଙ୍କ ମଧ୍ୟରେ ସର୍ମ୍ପକ କଣ ତାହା ପୂରା ପଞ୍ଜାବ ଜାଣିଛି । ଯେତେବେଳେ ସିଦ୍ଧୁ ବିଜେପିରେ ନେତା ଥିଲେ ସେବେଠାରୁ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ସିଂଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ । ଆଉ ଏହାପରେ ସହଯୋଗୀ ଶିରୋମଣି ଅକାଳୀ ଦଳର ଦାବି ଅନୁଯାୟୀ ନବଜୋତ ସିଂ ସିଦ୍ଧୁଙ୍କୁ ୨୦୧୪ରେ ଅମୃତସରରୁ ସାଂସଦ ପ୍ରାର୍ଥୀ କରିନଥିଲା ଦଳ ।ଆଉ ଏହାପରେ କଂଗ୍ରେସରେ ସାମିଲ ହୋଇଥିଲେ ସିଦ୍ଧୁ ।
କଂଗ୍ରେସରେ ସାମିଲ ହେବା ପରେ ବିକ୍ରମଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିଲେ ସିଦ୍ଧୁ । ଆଉ ଏହାପରେ ଡ୍ରଗ୍ସ ମାମଲାକୁ ନେଇ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପଞ୍ଜାବ ପୋଲିସ । ତେବେ ରାଜନୈତିକ ଦ୍ୱେଷ ରଖି ତାଙ୍କ ବିରୋଧରେ ଏଭଳି ମାମଲା କରାଯାଉଥିବା କହିଥିଲେ ବିକ୍ରମ ।