ବିକ୍ରମ ପଣ୍ଡା ଗୋପାଳପୁରରେ ହୋଇପାରନ୍ତି ବିଜେଡି ପ୍ରାର୍ଥୀ ! ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ ଦେଲେ ବଡ ସୂଚନା ।

428

କନକ ବ୍ୟୁରୋ : ଗୋପାଳପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବିକ୍ରମ ପଣ୍ଡା । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବେ ଗୋପାଳପୁର ଦାୟିତ୍ୱ ବୁଝୁଛନ୍ତି । ତାଙ୍କୁ ଦଳର ସଙ୍ଗଠନ ଦାୟିତ୍ୱ ବୁଝିବାକୁ କୁହାଯାଇଛି । ତେଣୁ ବିକ୍ରମ ପଣ୍ଡା ଗୋପାଳପୁରରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି । ଗୋପାଳପୁରରେ ବିଧାୟକ ପାଣ୍ଠି ଖର୍ଚ୍ଚ ହୋଇପାରୁନଥିଲା । ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ଥିଲା । ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯିବା ପରେ ସ୍ଥିତିରେ ସୁଧାର ଆସିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ବିଜେଡିରେ ଥିଲେ । ଦୁର୍ନୀତି ଅଭିଯୋଗ ଆସିବା ପରେ ଦଳରୁ ତାଙ୍କୁ ବହିଷ୍କୃତ କରିଥିଲେ ବିଜେଡି ସୁପ୍ରିମୋ ।

ଅନ୍ୟପଟେ ରାଜ୍ୟସଭା ପ୍ରାର୍ଥୀକୁ ନେଇ ରମେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ତୁଲାଇଛି । ରାଜ୍ୟସଭାକୁ ଯଦି ମୁଖ୍ୟମନ୍ତ୍ରୀ ପଠାନ୍ତି ତେବେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉଠାଇବି । କୌଣସି ପଦପଦବୀ ପାଇଁ କେବେ ଲବି କରିନି । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହା କରିବି ବୋଲି କହିଛନ୍ତି ରମେଶ ।