କନକ ବ୍ୟୁରୋ : ଆଜି ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହାରି ମଧ୍ୟରେ ଶିରୋମଣୀ ଅକାଳୀଦଳ ନେତା ବିକ୍ରମସିଂ ମଜିଠିଆ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଏବେ ଶିରୋମଣୀ ଅକାଳୀଦଳ ଓ ବିଏସପି ମଧ୍ୟରେ ମେଣ୍ଟ ହୋଇଛି । ହେଲେ କ୍ଷମତା ଦଖଲ କରିବାକୁ ଆବଶ୍ୟକ ପଡିଲେ ଦଳ ବିଜେପି ସହ ମେଣ୍ଟ କରିବାକୁ ପଛାଇବ ନାହିଁ । କହିରଖୁ କି ଚଳିତ ନିର୍ବାଚନରେ ମଜିଠିଆ ଅମୃତସର ପୂର୍ବ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ଆସନରେ ତାଙ୍କ ବିରୋଦରେ ପ୍ରାର୍ଥୀ ହୋଇଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ।

Advertisment

ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମଜିଠିଆ କହିଛନ୍ତି କି ମୋ ଲଢେଇ ପଞ୍ଜାବର ଲୋକମାନଙ୍କ ପାଇଁ । କଂଗ୍ରେସ ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି କି, ରାଜ୍ୟରେ ଗରିବ ଲୋକମାନଙ୍କ ପାଇଁ ଯେତେ ଯୋଜନା ରହିଛି ତାହା ସେମାନଙ୍କ ନିକଟରେ ପହଂଚିପାରୁ ନାହିଁ । ତେଣୁ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ବାଚନ ପରେ ଯଦି ଆବଶ୍ୟକ ପଡେ ତେବେ ଦଳ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିବ ।

କେବଳ ମଜିଠିଆ ନୁହଁନ୍ତି ଅକାଳୀ ଦଳ ନେତା ଗୁରବଚନ ସିଂ ଏନେଇ ବି ସଂକେତ ଦେଇଛନ୍ତି । ସେ କହିଛନ୍ତି କି ନିର୍ବାଚନ ପରେ ଯଦି ସରକାର ଗଠନ କରିବାକୁ ଦଳକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ଦଳ ବିଜେପି ସହ ମେଣ୍ଟ କରିବା କଥା ଚିନ୍ତା କରିବ । ଗୁରବଚନ ସିଂ ଗୁରୁଦାସପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେ କଂଗ୍ରେସକୁ ପ୍ରଥମ ଶତ୍ରୁ ବୋଲି କହିଛନ୍ତି ।