ଶିମିଳିପାଳ ନିଆଁକୁ ନେଇ କଥା ଗୋଟିଏ, କାମ ଆଉ ଗୋଟିଏ । ମନ୍ତ୍ରୀ କହିଲେ, ଅଗ୍ନିଋତୁରେ ନିଆଁ ଲାଗେ । ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଗଠନ ହେଲା ଟାସ୍କଫୋର୍ସ ।

91

କନକ ବ୍ୟୁରୋ: ରବିବାର ରାତିରେ ଶିମିଳିପାଳର ଭୟଙ୍କର ଚିତ୍ର ଦେଖିଲେ ସେଠାରେ ନିଆଁ ନିୟନ୍ତ୍ରଣରେ ଅଛି ବୋଲି କହିବା ଛଳନା ବ୍ୟତୀତ ଆଉ କିଛି ହୋଇନପାରେ । ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ନିଆଁର ବହ୍ନି ଭିତରେ ବାଜି ଲାଗିଛି, ଜଙ୍ଗଲି ଜନ୍ତୁଙ୍କ ଜୀବନ ଓ ଦେଶର ଅନ୍ୟତମ ପ୍ରମୁଖ ଜୈବ ବିବିିଧତାର ପେଣ୍ଠସ୍ଥଳୀ । ପୋଡ଼ାଡିହା ଓ ଭଞ୍ଜବସା ରେଞ୍ଜରେ କିଲୋମିଟର୍ କିଲୋମିଟର୍ ଧରି ବ୍ୟାପିଛି ନିଆଁ । ବଡ଼ କଥା ହେଉଛି, ଭଞ୍ଜବସା ରେଞ୍ଜ ଶିମିଳିପାଳ ଅଭୟାରଣ୍ୟର କୋର ଅଂଚଳରେ ଆସୁଛି ।

ଯେଉଁ ଜଙ୍ଗଲର ନିଆଁ ସମସ୍ତଙ୍କୁ ବିବ୍ରତ କରୁଛି, ତାକୁ କିନ୍ତୁ ହାଲୁକା ଭାବେ ନେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଜଙ୍ଗଲର ନିଆଁକୁ ଘୋଡାଇବା ପାଇଁ ଏକ ନୂଆ ଋତୁର ଆବିଷ୍କାର କରିଛନ୍ତି ମନ୍ତ୍ରୀ । ଯାହାର ନାଁ ଦେଇଛନ୍ତି ଅଗ୍ନିଋତୁ । ଜାନୁୟାରୀ ୧୫ରୁ ଜୁନ ୧୫ ତାରିଖ ଯାଏଁ ଅଗ୍ନିରୁତୁ ରହିଥାଏ, ଏହି ସମୟରେ ନିଆଁ ଲାଗିବା ସ୍ୱାଭାବିକ ବୋଲି କହିବାକୁ ଚାହୁଁଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ କଥାକୁ ଏଭଳି ମଧ୍ୟ ତର୍ଜମା କରାଯାଇପାରେ ଯେ, ନିଆଁ ଲାଗିଛି ଆପେ ଆପେ ଲିଭିଯିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଗମ୍ଭୀରତାର ସହ ବିଚାର କରିବାର ଆବଶ୍ୟକତା ରହିଛି ।

ଏପଟେ ଜଙ୍ଗଲ ନିଆଁ ଲିଭା କାମକୁ ଅନୁଧ୍ୟାନ କରିବା ସହ ନିଆଁ ଲିଭା କାମକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କଫୋର୍ସ ଗଠନ ହୋଇଛି । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇ ପାରିବ ଓ ନିଆଁ ଲାଗିବାର କାରଣ ଖୋଜିବ ଏହି କମିଟି । କିନ୍ତୁ ପ୍ରଶ୍ନ ହେଉଛି-
– ଜଙ୍ଗଲରେ ନିଆଁ ଲାଗିବା ଯଦି ସ୍ୱାଭାବିକ କଥା ତାହେଲେ ଟାସ୍କଫୋର୍ସ ଗଠନର ଆବଶ୍ୟକତା ଆସିଲା କେଉଁଠୁ?
– ଯଦି ନିଆଁ ନିୟନ୍ତ୍ରଣରେ ଅଛି, ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ଏତେ ବନ କର୍ମଚାରୀ କରୁଛନ୍ତି କ’ଣ?
– ଜଙ୍ଗଲର ନିିଆଁ ରାଜନୈତିକ ପ୍ରସଙ୍ଗ ନୁହେଁ କିମ୍ବା ଅଣଦେଖା କଲା ଭଳି ସମସ୍ୟା ନୁହେଁ । କାରଣ, ଏହା ସହ ଜଡ଼ିତ ରହିଛି, ଲକ୍ଷ ଲକ୍ଷ ଜୀବଜନ୍ତୁଙ୍କ ଜୀବନ ଏବଂ ଜୈବ ବିଭିଧତା ପ୍ରତି ସଂକଟର କଥା ।

Comments are closed.