ଖଣ୍ଡା, ଭୁଜାଲି, ବନ୍ଧୁକ ଧରି ରାଜଧାନୀରେ ସଂଘବଦ୍ଧ ଆତଙ୍କ ଖେଳାଉଥିବା କେବିଏନ୍ ଗ୍ରୁପ୍ର ପର୍ଦ୍ଦାଫାସ୍ କରିବା ପାଇଁ କମିସନରେଟ୍ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି। ସୋସିଆଲ ମିଡିଆରେ ଭୟାନକ ଭିଡିଓ ପୋଷ୍ଟ କରି ରାଜଧାନୀବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବାରୁ ପୁଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରୁଛି। ପୁଲିସ ୭ଜଣଙ୍କୁ ଗିରଫ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଭୟରେ ୨ଜଣ ଆତ୍ମସମର୍ପଣ କରିସାରିଛନ୍ତି। କଟକରେ ବି ମାତିଥିବା ଏଭଳି ଏକ ଗ୍ରୁପ୍ (ପବ୍ଲିକ୍ ଷଣ୍ଢ, ଅମାନିଆ ବାଘ)ର କିଛି ସଦସ୍ୟଙ୍କୁ ଗିରଫ କରାଯାଇଛି। ତେବେ କମିସନରେଟ୍ ପୁଲିସର ଏଭଳି କଡ଼ା ଆଭିମୁଖ୍ୟ ଦେଖି ରାଜଧାନୀରେ ଉତ୍ପାତ କରୁଥିବା ଆଉ କିଛି ଗୋଷ୍ଠୀଙ୍କ ଭିତରେ କୋକୁଆଭୟ ଖେଳି ଯାଇଛି। ବିଶେଷକରି ବାଇକ୍ରେ ଷ୍ଟଣ୍ଟ ଦେଖାଇ ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଇବାର ଭିଡିଓ ଅପଲୋଡ୍ କରୁଥିବା ଗ୍ରୁପ୍ର ନିଦ ହଜି ଯାଇଛି। କମିସନରେଟ୍ ପୁଲିସ କାଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେହି ଭୟରେ ସେମାନେ ସୋସିଆଲ ମିଡିଆରୁ ଗାୟବ୍ ହୋଇଯାଇଛନ୍ତି। ଗତ କିଛି ଦିନ ହେଲା, ସେମାନଙ୍କ ଆକାଉଣ୍ଟ ଆଉ ସୋସିଆଲ ମିଡିଆରେ ଦେଖିବାକୁ ମିଳୁନାହିଁ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ ୪ଟି ବାଇକ୍ ଷ୍ଟଣ୍ଟ ଗ୍ରୁପ୍ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିଲେ। ସଂଧ୍ୟା ହେବା ମାତ୍ରେ ଏମାନେ ଅଞ୍ଚଳରେ ସଂଘବଦ୍ଧ ଭାବେ ଘୂରି ବୁଲି ଉତ୍ପାତ କରୁଥିଲେ। ଦ୍ରୁତଗତିରେ ବାଇକ୍ ଚଳାଇବା ସହ ବାଇକ୍ ଷ୍ଟାଣ୍ଡକୁ ରାସ୍ତାରେ ଘଷି ନିଆଁ ବାହାର କରିବା, ବିକଟାଳ ହର୍ଣ୍ଣ ମାରି ଲୋକଙ୍କୁ ହଇରାଣ ହରକତ କରୁଥିଲେ। ଏପରିକି ଲୁଟ୍, ଛିନ୍ତାଇ କରିବାକୁ ବି ପଛାଉ ନଥିଲେ। ଆଉ ଏ ସବୁର ଭିଡିଓ ସେମାନେ ସୋସିଆଲ ମିଡିଆରେ ଅପଲୋଡ୍ କରୁଥିଲେ। କିନ୍ତୁ ପୁଲିସ୍ କେବିଏନ୍ ଗ୍ରୁପ୍ ଉପରେ ଆକ୍ସନ ନେବା ପରେ ଏହି ଗ୍ରୁପ୍ଗୁଡ଼ିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ରୁପ୍ରେ ପଟିଆ ଅଞ୍ଚଳର ଦୁଇଟି ପ୍ରତିଷ୍ଠିତ ପରିବାରର ପିଲା ଓ ମଞ୍ଚେଶ୍ବର ଅଞ୍ଚଳର ଦୁଇ ଅଟୋ ଚାଳକ ସାମିଲ ଅଛନ୍ତି। ଅଟୋ ଚାଳକଦ୍ବୟଙ୍କ ନାମରେ ମଞ୍ଚେଶ୍ବର ଥାନାରେ ଅନେକ ଚୋରି ଅଭିଯୋଗ ମଧ୍ୟ ରହିଛି। ସେହିଭଳି ଇନ୍ଫୋସିଟି ଥାନା ଅଧୀନ କିଛି ବସ୍ତିର ଅସାମାଜିକ ଯୁବକ ମଧ୍ୟ ଏହି ଗ୍ରୁପରେ ସାମିଲ ଅଛନ୍ତି। ଆଇଡି ବ୍ଲକ୍ ହୋଇଥିଲେ ମଧ୍ୟ ପୁଲିସ୍ ଏମାନଙ୍କ ଗତିବିଧି ଉପରେ ନଜର ରଖିଛି। ପ୍ରମାଣ ପାଇଲା ମାତ୍ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂପୃକ୍ତ ଥାନାଧିକାରୀମାନେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/2934919.jpg)