କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଦଳ ।

74

କନକ ବ୍ୟୁରୋ : କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ଦେଖାଇ ଆସୁଥିବା ବିଜେଡି, କିଛି ଦିନ ହେଲା ତାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ଯୁଦ୍ଧଂ ଦେହି ଡାକରା ଦେଇଛି । ହୁଏତ ମମିତା ପ୍ରସଙ୍ଗରେ ଅକଳରେ ପଡିଥିବା ଶାସକ ଦଳ ପାଇଁ ଏହା ଢାଲ ହୋଇପାରେ, ହେଲେ ରାଜ୍ୟର ସାମଗ୍ରିକ ରାଜନୈତିକ ସ୍ଥିତିକୁ ଏହା ସରଗରମ କରିଛି । କାଳେ ବ୍ୟାକଫୁଟରେ ରହିଯିବ ବିଜେଡି, ସେଥିପାଇଁ ଦର ବୃଦ୍ଧିକୁ ଆୟୁଦ୍ଧ କରି ରାସ୍ତାକୁ ଓହ୍ଳାଉଛି ଦଳ ।

କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଦଳ । ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଅସ୍ତ୍ର କରି କେନ୍ଦ୍ର ବିରୋଧରେ ବିକ୍ଷୋଭ କରିଛି ବିଜେଡି । ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛି ଶାସକ ଦଳ । ଏକ ବିଶାଳ ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କରିଛି । ଏହି ରାଲି ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ନିକଟ ପାୱାର ହାଉସ ଛକ ଯାଏଁ ଯାଇଥିଲା । ବିଧାନସଭା ନିକଟରେ ବିଶାଳ ପ୍ରତିବାଦ ସଭା କରିଥିଲା ବିଜେଡି ।

ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଯୁବ, ଛାତ୍ର ଓ ମହିଳା ଶାଖାର ହଜାର ହଜାର ସଦସ୍ୟ । କେନ୍ଦ୍ର ବିରୋଧରେ ନାରାବାଜିରେ ମୁଖରିତ ହେଉଥିଲା ସାରା ଅଞ୍ଚଳ । ବିଧାନସଭା ନିକଟ ବିଡିଏ ଅଫିସ ସାମ୍ନା ମୁଖ୍ୟ ରାସ୍ତାକୁ ନିଜ କବଜାକୁ ନେଇ ବିରୋଧ କରିଥିଲା ବିଜେଡି । ପ୍ରାୟ ୨ଘଂଟା କାଳ ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା । ଶୀଘ୍ର ଦରଦାମ ବୃଦ୍ଧି ନିୟନ୍ତ୍ରଣକୁ ନଆସିଲେ ପଲ୍ଲୀରୁ ଆନ୍ଦୋଳନକୁ ଦିଲ୍ଲୀ ଯାଏଁ ନେବ ବୋଲି ବିଜେଡି କହିଛି ।

କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ନେଇ ଆଗକୁ ବଢୁଥିବା ବିଜେଡି, ନିର୍ବାଚନ ପାଖେଇବା ସହ ଗରମ ଆଭିମୁଖ୍ୟ ପୋଷଣ କରିଛି । ଆଉ ଶକ୍ତି ପ୍ରଦର୍ଶନ କରି କେନ୍ଦ୍ରକୁ ଦେଇଛି ଚେତାବନୀ । ରାଜଧାନୀରେ ଝିପଝିପି ବର୍ଷା ହେଉଥିଲା, କିନ୍ତୁ ସେପଟେ ବିଜେପିର ବିଧାନସଭା ଘେରାଉ ଓ ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ ରାଜଧାନୀ ରାଜନୀତିକୁ ସରଗରମ କରିଦେଇଥିଲା ।