ଟ୍ରାଫିକ୍ ପୁଲିସର ଅଜବ ଚାଲାଣ…ସିଟ୍ ବେଲ୍ଟ ନପିନ୍ଧି ଗାଡି ଚଳାଇବା ଅଭିଯୋଗରେ ଲୁନା ଚାଳକଙ୍କ ଉପରେ ଲଗାଇଲା ହଜାରେ ଟଙ୍କାର ଜରିମାନା

1,528

କନକ ବ୍ୟୁରୋ: ଲୁନାରେ ଲାଗିଲା ସିଟ୍ ବେଲ୍ଟ ପିନ୍ଧି ନଥିବାର ଫାଇନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ୍ୟ । ତେବେ ଟ୍ରାଫିକ ନିୟମର ଏଭଳି ଅଜବ ଚାଲାଣ କଟାଯିବାର ଖବର ଆସିଛି ନବରଙ୍ଗପୁରରୁ । ପାପଡାହାଣ୍ଡି ବ୍ଲକ ବି କଣ୍ଟାସରୁ ଗାଁର ପୁରନ ପୂଜାରୀ ନାମକ ଟିଭିଏସ ଏକସେଲ ବାଇକ ଚାଳକ ଙ୍କୁ ସିଟ ବେଲ୍ଟ ପିନ୍ଧି ନ ଥିବା ଅଭିଯୋଗରେ କଳାହାଣ୍ଡି ଆରଟିଓଙ୍କ ଫାଇନ ।

ନୂଆ ମୋଟର ଯାନ ନିୟମ ଅନୁଯାୟୀ  ହେଲମେଟ, ସିଟ ବେଲ୍ଟ ବାନ୍ଧି ନ ଥିଲେ, ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିଲେ, ନାବାଳକ ଗାଡି ଚାଳନା କରୁଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ପୋଲିସ ସେମାନଙ୍କଠୁ ଫାଇନ ଆଦାୟ ସହ ଚାଲାଣ କଟୁଛି । ଯାହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ସବୁ ଭିତରେ ନବରଙ୍ଗପୁରର ଜଣେ ଗାଡି ଚାଳକଙ୍କ ମୋଟର ଆଇନ ଯାନ ନିୟମ ଖିଲାପ କରିଥିବା ଅଭିଯୋଗରେ ଚାଲାଣ ବାନ୍ଧିବା ନେଇ ତାଙ୍କ ମୋବାଇଲକୁ ଆସିଛି ମେସେଜ । ନିୟମ ଖିଲାପ କରିଥିବାରୁ ପୁରନ ପୂଜାରୀଙ୍କୁ ନିଜ ଟିଭିଏସ ଏକସେଲ ବାଇକ ଉପରେ ଟ୍ରାଫିକ ନିୟମ ଖିଲାପ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ତରଫରୁ ଚାଲାଣ କଟାଯାଇଥିବା ନେଇ ଯେତେବେଳେ ତାଙ୍କ ମୋବାଇଲକୁ ଏହି ମେସେଜ ଆସିଛି ।

ତେବେ ମେସେଜ ଇଂରାଜୀରେ ଲେଖା ହୋଇଥିବାରୁ ତାହା ଜାଣି ନ ପାରି ସେ ଜଣେ ସମ୍ପର୍କୀୟଙ୍କୁ ଦେଖାଇଥିଲେ ଏବଂ ଯୁବକଙ୍କ ଠାରୁ ଫାଇନ ବାବଦରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ । କାହିକିଁ ନା ଯେଉଁ ଦିନର ଚାଲାଣ ତାଙ୍କ ନିକଟକୁ ଆସିଛି ସେ ସେହି ଦିନ ନିଜ ଘରେ ଥିଲେ ଆଉ ତାଙ୍କ ଗାଡି ମଧ୍ୟ ତାଙ୍କ ପାଖରେ ଥିଲା । ତେବେ କଳାହାଣ୍ଡି ଯାଇ ନ ଥିବା ବେଳେ କାହିଁକି ଏହି ଚାଲାଣ କଟିଲା ତାହାକୁ ନେଇ ପୁରନ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ତେବେ କଳାହାଣ୍ଡି ଆରଟିଓଙ୍କ ନାଁରେ ଆସିଥିବା ଏହି ଚାଲାଣ ନମ୍ବର କେଉଁ ବାବଦକୁ କଟିଛି ସେ ବାବଦରେ ଜାଣିବା ପାଇଁ ସେ ଯେତେବେଳେ ମେସେଜଟିକୁ ଅନଲାଇନ ଆଡ୍ରେସରେ ଯାଞ୍ଚ କଲେ ଗାଡି ଚାଳକ ପୁରନ ବାଇକ ରେ ସିଟ ବେଲ୍ଟ ବାନ୍ଧି ନଥିବାରୁ ଏକ ହଜାର ଟଙ୍କା ଚାଲାଣ କଟିଥିବା ଲେଖାଯାଇଥିଲା । ।

ଅପରପକ୍ଷରେ   ଏହି ଫାଇନକୁ ତ୍ରୁଟି ପୂର୍ଣ୍ଣ କହି ଫାଇନ ନ ବାନ୍ଧିବା ନେଇ ରୋକ ଠୋକ କହିଛନ୍ତି ପୁରନ । ନିଜେ ଚାଷ କରି ବହୁକଷ୍ଟରେ ଗୁଜୁରାଣ ମେଣ୍ଟାଉ ଥିବା ବେଳେ  କିଭଳି ଦୋଷ ନ କରି କାହିଁକି ଫାଇନ ବାନ୍ଧିବେ ବୋଲି କହିଛନ୍ତି ପୁରନଙ୍କ ବାପା ।