ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡର ଶୁଭାରମ୍ଭ । ନବୀନ କହିଲେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସ୍ମାର୍ଟ କାର୍ଡ ଦେଖାଇବେ ମାଗଣାରେ ଚିକିତ୍ସା ପାଇବେ ।

112

କନକ ବ୍ୟୁରୋ : ବଲାଙ୍ଗୀରବାସୀଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଯାଇ ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହାସହ ବଲାଙ୍ଗୀର ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।  ଏହାବ୍ୟତୀତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ନବୀନ ।  ମୁଖ୍ୟମନ୍ତ୍ରୀ ହରିଶଙ୍କର ପର୍ଯ୍ୟଟନସ୍ଥଳୀର ବିକାଶ , ବଲାଙ୍ଗିରରେ ନୂତନ ବସ ଟର୍ମିନାଲର ଉଦଘାଟନ କରିଛନ୍ତି । ମୋଟ ୮୨୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ।

ନବୀନ ନିଜ ଅଭିଭାଷଣରେ ସମଲେଶ୍ୱରୀଙ୍କୁ ପ୍ରଣାମ କରିବା ସହ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଆଉ ଆଜି ବଲାଙ୍ଗୀରରେ ଏହାର ଶୁଭାରମ୍ଭ କରି ମୁଁ ବେଶ ଖୁସି ବୋଲି କହିଛନ୍ତି ନବୀନ । ବଲାଙ୍ଗୀର ଜିଲ୍ଲାର ସାଢେ ୪ ଲକ୍ଷ ଲୋକ ଏହି କାର୍ଡ ପାଇବେ।  ରାଜ୍ୟର୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ  ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ।  ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ ।  ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ  ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି  । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ  ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।