ବିଜୁ ସ୍ମାର୍ଟ ହେଲ୍ଥ କାର୍ଡରେ ଯୋଡିହେବ ଆଉ ୨ ଜିଲ୍ଲା : ସୋନପୁର ଓ ବୌଦ୍ଧ ଜିଲ୍ଲାରେ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

90

କନକ ବ୍ୟୁରୋ : ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ଯୋଡି ହେବ ଆଉ ଦୁଇ ଜିଲ୍ଲା । ଆଜି ସୋନପୁର ଓ ବୌଦ୍ଧ ଜିଲ୍ଲାର ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ହେଲ୍ଥ କାର୍ଟ ବଂଟନ କରାଯିବ । ଏହା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ସ୍ମାର୍ଟ କାର୍ଡ ଜରିଆରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିପାରିବ । ଆଜିର କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ। ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମାଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮, ୭୪୬ ଜଣ ହିତାଧିକାରୀ ଅଛନ୍ତି । ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବ । ଆହୁରି ମଧ୍ୟ ୧୪୮,୦୪,୮୨୦୦୦ ଅଟକଳ ଥାଇ ୩୫ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା ଏହିସବୁ ଜନକଲ୍ୟାଣକାରୀ ଯୋଜନାର ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ରୂପାୟନ ସଭା ନୂତନ ଭାବରେ ୫,୩୪,୬୦୦୦ ଟଙ୍କା ବ୍ୟୟରେ ସହର ଉପକଣ୍ଠରେ ନିର୍ମିତ ଟାଉନ୍‌ ହଲଠାରେ ହେବ ।

ଏହି ପରିପ୍ରେକ୍ଷୀରେ ସୋନପୁରରେ ଉଦ୍‌ଘାଟନ ଅପେକ୍ଷାରେ ଥିବା ବିଜୁ ପଟ୍ଟନାୟକ ସୁଇମିଂପୁଲ ଜିଲ୍ଲା ପାଇଁ ବିଶେଷ ଉପହାର ହେବ । ୪.୭୪କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣାଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ । ୫୦ ମିଟର ଲମ୍ବ ଏହି ସୁଇମିଂ ପୁଲରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପ୍ରଶିକ୍ଷକ ରହିବେ ଏବଂ ଅଲଗା ଅଲଗା ପ୍ରସାଧନ କକ୍ଷ ରହିବ । ୨୦୧୮ରେ ଆରମ୍ଭ ହୋଇ ୨୦୨୦ ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଏହି ସୁଇମିଂପୁଲ କରୋନା ମହାମାରୀ ଯୋଗୁଁ କାର୍ଯ୍ୟକ୍ଷମ ହେବାରେ ବାଧା ସୃଷ୍ଟି ହୋଇଥିଲା । ଏହି ସୁଇମିଂ ପୁଲ ଦ୍ୱାରା ଜିଲ୍ଲାର ବହୁ କ୍ରୀଡ଼ାବିତ ସେମାନଙ୍କ କ୍ରୀଡ଼ା ଦକ୍ଷତା ରାଜ୍ୟ ଓ ଜାତୀୟସ୍ତରରେ ଦେଖାଇବାକୁ ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଏକ ନୂତନ ଯୁଗର ବାର୍ତ୍ତାବହ ହୋଇପାରିବ ।