ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ଶ୍ରେୟ ରାଜନୀତି : ନବରଙ୍ଗପୁର ସାଂସଦ ଓ ମନ୍ତ୍ରୀ ତୁଷାରକାନ୍ତିଙ୍କ ଉପସ୍ଥିତିରେ ରାଗିଗଲେ ଉମରକୋଟ ବିଧାୟକ,କହିଲେ ଏମିତି କଥା..

163

କନକ ବ୍ୟୁରୋ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ ବେଳେ ରାଗିଗଲେ ଉମରକୋଟ ବିଧାୟକ । ନବରଙ୍ଗପୁର ରାଇଘର ହାଟଭରଣ୍ଡି ଠାରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ଉମରକୋଟ ବିଧାୟକ ହଠାତ୍ ରାଗି ଯାଇଥିଲେ । କାର୍ଡ ବଣ୍ଟନ ଚାଲିଥିବା ସମୟରେ ହଠାତ୍ ରାଗି ଯାଇ ବିଧାୟକ କହିଥିଲେ ଖାଲି ମନ୍ତ୍ରୀ ହିଁ କାର୍ଡ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ, ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ । ମନ୍ତ୍ରୀ ଦିନକ ପାଇଁ ଆସିଛନ୍ତି ଚାଲିଯିବେ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଆଗରେ ଏମିତି କହିଥିଲେ । ଏହା ସହ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ରାଇଘର ବିଡିଓଙ୍କ ଉପରେ ତାତିଗଲେ ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ସେପଟେ ଏହି କାର୍ଡ ବଣ୍ଟନକୁ ସମସ୍ତ ହିତାଧିକାରୀଙ୍କ ସହ ଜିଲ୍ଲାବାସୀ ସ୍ୱାଗତ ଜଣାଇଥିବା ବେଳେ ବିଜେପି କେବଳ ବିରୋଧ କରିବା ପାଇଁ ଏପରି ହିନ ରାଜନୀତି କରୁଥିବା କହିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ରାଇଘର ବ୍ଲକର ୬ଟି ପଚାୟତର ୬ଟି ଗାଁରେ ୧୧୭୦ ଜଣଙ୍କୁ ସ୍ମାର୍ଟ ହେଲଥକାର୍ଡ ବଟନ କାର୍ଯ୍ୟକ୍ରମ ରହିଥିଲା । ପ୍ରଥମ କାର୍ଯ୍ୟକ୍ରମ ହାଟଭରଣ୍ଡିରେ ଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଜେପିର ଜିଲ୍ଲାପରିଷଦ ଜୋନ୍ -୧ର ସଭ୍ୟ ଦେଓ କୁମାରୀଗଣ୍ଡ, ହାଟଭରଣ୍ଡି ସରପଂଚ ମନସୁରାମ ଗଣ୍ଡ ବ୍ଲକ ପ୍ରଶାସନ ତରଫରୁ ନିମନ୍ତ୍ରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ବିଡିଓ ଦେବେନ୍ଦ୍ର କୁମାର ବଳ ପରିଚାଳନା କରିଥିଲେ । ହିତାଧିକାରୀଙ୍କୁ କେବଳ ମନ୍ତ୍ରୀ କାର୍ଡ଼ ବଂଟନ କରୁଥିବା ନେଇ ଅଭିଯୋଗ କରି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଚରେ ମନ୍ତ୍ରୀଙ୍କ ସମ୍ମୁଖରେ ବିଡିଓଙ୍କ ଉପରେ ତାତିଥିଲେ । ମଂଚରେ ଜିଲ୍ଲାପରିଷଦ ସଭ୍ୟ ଓ ସରପଂଚ ସମେତ ଖୋଦ୍ ବିଧାୟକ ଭାବେ ନିଜେ ଉପସ୍ଥିତ ଥିବା ସତ୍ୱେ ଗୋଟିଏ ବି ହିତାଧୁକାରୀଙ୍କୁ କାର୍ଡ ବାଂଟିବାକୁ ବିଡିଓ ସୁଯୋଗ ଦେଇନଥିବା କହି ବିଧାୟକ ନିତ୍ୟାଗଣ୍ଡ ରାଗି ଯାଇଥିଲେ ।