ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ରାଜ୍ୟରେ ୩ ମାସ ବୁଲିବ ପ୍ରଚାର ରଥ

33

କନକ ବ୍ୟୁରୋ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବାହାରିଥିବା ସଚେତନତା ରଥ ଆସନ୍ତା ୩ମାସ ପାଇଁ ବୁଲିବ। ରାଜ୍ୟର ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ପରିକ୍ରମା କରିବ। ରଥ ସହିତ ଥିବା କଳାକାରମାନେ ଲୋକକଳା ମାଧ୍ୟମରେ ସଚେତନ କରାଇବେ। ଏହି ସଚେତନତା ରଥ ଯେଭଳି ଠିକ୍ ଭାବେ ସମଗ୍ର ରାଜ୍ୟ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ସେଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରସ୍ତୁତ ମାର୍ଗଦର୍ଶିକା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ସଚେତନତା ପାଇଁ ବାହାରିଥିବା ରଥରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ କଳାସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର କଳାକାରମାନେ ରହିବା ସହିତ ଉଭୟ ଗାଁ ଓ ସହର ପରିକ୍ରମା କରିବେ।

 

ଆସନ୍ତା ୩ମାସ ମଧ୍ୟରେ ସ୍ୱାସ୍ଥ୍ୟ କଲ୍ୟାଣ ରଥ କଳାକାରମାନଙ୍କ ସହିତ ଯେଭଳି ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ପରିକ୍ରମା କରିବ ତାହାର ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କୁହାଯାଇଛି। ଜିଲ୍ଲା କଳା ସଂସ୍କୃତି କେନ୍ଦ୍ରର ଉପସଭାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହି ଯାତ୍ରା ହେବ। ଏହାର ସୂଚନା ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯିବ। ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଖୋର୍ଧାର କଳାକାରମାନେ ମିଳିତଭାବେ ପଥପ୍ରାନ୍ତ ନାଟକ ପରିବେଷଣ କରିବେ। ଅନ୍ୟ ଜିଲ୍ଲାର କଳାକାରମାନେ ୧ଘଣ୍ଟା ପର୍ଯ୍ୟନ୍ତ ଏହା ପ୍ରଦର୍ଶନ କରିପାରିବେ। ପ୍ରତି ଦଳରେ ଅତିକମରେ ୧୦ଜଣ କଳାକାର ରହିବେ।

ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ନିୟମ ଅନୁଯାୟୀ କଳାକାରମାନେ ପଞ୍ଚାୟତସ୍ତରରେ ନିଜେ ଯିବା ଆସିବା କରିବେ। ଖାଦ୍ୟ ଓ ଗମନାଗମନ ପାଇଁ ସେମାନଙ୍କୁ ଭତ୍ତା ମିଳିବ। କଳା ପ୍ରଦର୍ଶନ ପାଇଁ ଦିନକୁ ୨ଶହ ଟଙ୍କା ଦିଆଯିବ। ଜିଲ୍ଲା ପକ୍ଷରୁ ଏଥିପାଇଁ ବ୍ୟୟବରାଦ ପ୍ରଦାନ ଲାଗି କୁହାଯାଇଛି। ଗାଁରେ ସଚେତନତା ରଥ ପହଞ୍ଚିବାର ୨/୩ଦିନ ପୂର୍ବରୁ ଲୋକଙ୍କୁ ଅବଗତ କରାଯିବ। ସଚେତନତା କାର୍ଯ୍ୟକ୍ରମରେ କିପରି ଅଧିକ ଲୋକଙ୍କ ସମାଗମ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଆବଶ୍ୟକସ୍ଥଳେ ଗାଁ କଲ୍ୟାଣ ସମିତି ନିକଟରେ ପଡ଼ି ରହିଥିବା ଅର୍ଥକୁ ଏଥିରେ ବ୍ୟବହାର କରାଯିବ। ଜିଲ୍ଲା କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ଥିବା ଜିଲ୍ଲାପାଳ କଳାକାରମାନଙ୍କୁ ସେମାନଙ୍କ ପାଉଣା ପ୍ରଦାନ କରିବେ। ବ୍ଲକସ୍ତରରୁ ବ୍ଲକ କଳା ସଂସ୍କୃତି ସଂଗଠନ ଅଧ୍ୟକ୍ଷ ବିଡିଓ ଓ ପୌରାଞ୍ଚଳରୁ ନଗର କଳା ସଂସ୍କୃତି ସଂଗଠନର ଅଧ୍ୟକ୍ଷ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ପ୍ରଦାନ ପରେ ଏହି ଅର୍ଥ ମିଳିବ। ଏହି ରିପୋର୍ଟରେ କଳାକାରମାନଙ୍କ ସହିତ ଅଙ୍ଗନବାଡ଼ି କର୍ମୀ ଓ ଆଶାମାନଙ୍କ ସ୍ୱାକ୍ଷର ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।