କନକ ବ୍ୟୁରୋ: ବରଗଡ଼ ଭେଡେନ ବ୍ଲକ ବୁଡେନପାଲିରେ ଥିବା ଜିରାନଦୀ ପୋଲ ଭୁଶୁଡିବା ଘଟଣାର ତନାଘନା ଆରମ୍ଭ ହୋଇଛି । ଘଟଣାରେ ୨ ଜଣକୁ ଅଟକ ରଖିଛି ପୋଲିସ । ଏସଡିଓ ମନୋରଞ୍ଜନ ମହାପାତ୍ର ଓ ଜେଇ ଅମ୍ଲକାନ୍ତ ତରିଆଙ୍କୁ ବରଗଡ଼ ଥାନାରେ ଅଟକ ରଖାଯାଇଛି । ଗ୍ରାମ୍ୟଉନ୍ନୟନ ବିଭାଗର ଏକ ଟିମ ଆଜି ତଦନ୍ତ ପାଇଁ ପହଂଚୁଛନ୍ତି । ୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯିବା ପରେ ଜଣକର ଗୋଡ ଭାଙ୍ଗିଯାଇଥିବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଭୁବନେଶ୍ୱର ବମିଖାଲଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ ଭୁଷୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ନ ଥମୁଣୁ, ଗତକାଲି ବରଗଡ଼ ଜିଲ୍ଲାର ଭେଡେନ୍ ବ୍ଲକ ଜାମଡୋଲ୍ ଧୁବେନପାଲିଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡି ପଡ଼ିଛି । ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଜୀରା ନଦୀ ଉପରେ ନିର୍ମାଣ ଚାଲିଥିବା ଏହି ସେତୁର ବିଶାଳକାୟ ସ୍ଲାବ୍ ମଝିରୁ ଭାଙ୍ଗି ପଡ଼ିବାରୁ ସେଠାରେ କାମ କରୁଥିବା ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି ।
ଜିରାନଦୀ ଉପରେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ଏହି ପୋଲ ନିର୍ମାଣ କାମ ଚାଲିଥିଲା । ରବିବାର ଛାତ ପକାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ହଠାତ୍ ମଧ୍ୟ ଭାଗରୁ ଦୁଇ ଫାଳ ହୋଇ ନଦୀ ଭିତରକୁ ଭୁଶୁଡି ପଡ଼ିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୮ ଜଣ ଶ୍ରମିକ ଆହତ ହୋଇଥିଲେ । ଏଥି ସହ ପୋଲ ତଳେ ଥିବା କେତେକ ବାଇକ୍ ମଧ୍ୟ ଚାପି ହୋଇ ଚୂର୍ ମାର୍ ହୋଇଯାଇଛି । ସ୍ଥାନୀୟ ଲୋକେ ସଂଗେ ସଂଗେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଭେଡ଼େନ ସିଏଚସିକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ରଜତ ନାଏକ ଓ ସୁରେନ୍ଦ୍ର ନାଏକଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଆହତଙ୍କ ସଂପର୍କରେ ସିଡିଏମଓ ଡା. ପ୍ରକାଶ ପ୍ରଧାନଙ୍କୁ ପଚାରିବାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ବାରମ୍ବାର ନିର୍ମାଣାଧିନ ପୋଲ ଭୁଶୁଡିବା ପଛରେ ପିସି କାରବାର ଚାଲିଥିବା ଅଭିଯୋଗ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଦଳ । ବରଗଡର ଏହି ପୋଲ କାମ ପାଇଁ କେତେ ଟଙ୍କାର ପିସି କାରବାର ହୋଇଛି ବୋଲି ପ୍ରଶ୍ନ କରିଛି ବିଜେପି । ମୋଟା ଅଙ୍କରେ ପିସି କାରବାର ଚାଲିଥିବାରୁ ବାରମ୍ବାର ଏପରି ସରିଜ୍ ଦୁର୍ଘଟଣା ଘଟୁଛି ବୋଲି ବିଜେପି ଅଭିଯୋଗ କରିଛି ।
ସେପଟେ ପୂର୍ବ ବିଧାୟକ ସାଧୁ ଚରଣ ନେପାକ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବ୍ୟାପକ ପିସି କାରବାର ଓ ନିମ୍ନମାନର କାମ ଯୋଗୁଁ ରାଜ୍ୟରେ ପୋଲ ଭୁଶୁଡିବା ବର୍ତ୍ତମାନ ନିତିଦିନିଆ ଘଟଣା ପାଲଟିଥିବା ଶ୍ରୀ ନେପାକ ମତ ଦେଇଛନ୍ତି ।
ଟେଣ୍ଡର ପରେ କାର୍ଯ୍ୟାଦେଶ ଦେବା ସମୟରେ ବର୍ଷା ଦିନେ ପୋଲ ନିର୍ମାଣ କାମ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ହେଁ ସଂପୃକ୍ତ ଠିକାଦାରଙ୍କ ମନମୁଖୀ ଯୋଗୁଁ ଗତକାଲି ଏଭଳି ଘଟଣା ଘଟିଲା । ଅପରାହ୍ଣ ବଦଳରେ ଯଦି ମଧ୍ୟାହ୍ନ ସମୟରେ ଏହା ଘଟିଥାନ୍ତା ତେବେ ଅଧିକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତେ ବୋଲି ଅଂଚଳବାସୀ କହିଛନ୍ତି ।