ଆଉ ପାଦେ ଆଗେଇଲା ବିଜୁ ପକ୍କା ଘର କଳି : ମୟୁରଭଂଜରେ ବିଜେଡି-ବିଜେପି ମୁହାଁମୁହିଁ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅପମାନିତ କରିଥିବା ଅଭିଯୋଗ; ବିଜେଡିର ହଙ୍ଗାମା ପରେ ଜୋରଧରିଲା ରାଜନୀତି

88

କନକ ବ୍ୟୁରୋ : ମୟୁରଭଂଜରେ ମୁହାଁମୁହିଁ ବିଜେଡି-ବିଜେପି । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଦିଶା ବୈଠକରେ ହଙ୍ଗାମା । ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିଜେଡି କର୍ମୀଙ୍କ ହଙ୍ଗାମା ।

ଗତକାଲି ଦିଶା ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲାର ଏକାଧିକ ବିଧାୟକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ଜିଲ୍ଲା ପରିଷଦା ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଘର ଷ୍ଟିକର ଲଗାଇବାକୁ ବିରୋଧ କରି ମତ ରଖିଥିଲେ । ଏହି ପ୍ରସଙ୍ଗ ଏଜେଣ୍ଡାରେ ନଥିବା ଦର୍ଶାଇ ବିରୋଧ କରିଥିଲେ ବିଜେଡି ସାଂସଦ ମମତା ମହାନ୍ତ ।

କଥା କଟାକଟି ପରେ ଜିଲ୍ଳା ପରିଷଦା ଅଧ୍ୟକ୍ଷା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପଶଦ୍ଦ ପ୍ରୟୋଗ କରିଥିବା କହି ବୈଠକ ବର୍ଜନ କରି ଚାଲିଆସିଥିଲେ ମମତା । ଏହା ପରେ ଆରମ୍ଭ ହୋଇଥିଲା ରାଜନୈତିକ ହାଇଡ୍ରାମା । ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ସେଠାରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବୁଝାସୁଝା ସତ୍ୱେ ସେମାନେ ହଟିନଥିଲେ । ଜିଲ୍ଳା ପରିଷଦ ଅଧ୍ୟକ୍ଷା କ୍ଷମା ମାଗନ୍ତୁ ବୋଲି ଜିଦରେ ଅଡି ବସିଥିଲେ । ପରେ ପୁଲିସ ଆସି ଅନେକ ବିଜେଡି କର୍ମୀଙ୍କୁ ଉଠାଇନେଇଛି ।