କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ପଟ୍ଟନାୟକଙ୍କ ସମାଧି । ସ୍ୱର୍ଗଦ୍ୱାର ବିକାଶ ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ ବୋଲି ନବୀନ କହିଛନ୍ତି । ଏହାଛଡା ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି କହିବା ସହ ଏହାର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ତେବେ ପୁରୀ ସମେତ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ପାଇଁ ଯେତେବେଳେ ରାଜ୍ୟ ସରକାର ଅଣ୍ଟା ଭିଡିଥିଲେ ସେତେବେଳେ ବିଜୁଙ୍କ ସମାଧି ଉଚ୍ଛେଦ କରିବାକୁ ମଧ୍ୟ ଦାବି ଉଠିଥିଲା । ବିଭିନ୍ନ ସଙ୍ଗଠନ ଗୁଡିକ ପକ୍ଷରୁ ଏହି ଦାବି ଉଠିଥିବା ବେଳେ ଏହାକୁ କିଛି ସଙ୍ଗଠନ ବିରୋଧ ମଧ୍ୟ କରିଥିଲେ । ଆଉ ଏସବୁ ଭିତରେ ସ୍ୱର୍ଗଦ୍ୱାରରୁ ବିଜୁଙ୍କ ସମାଧି ହଟାଇବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଲୋକସେବା ଭବନରେ ବସିଥିବା ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଫୋନି ପରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡିଛନ୍ତି । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାରର ବିକାଶ କରାଯିବ ।

ଶବଦାହ ଠାରୁ ଆରମ୍ଭ କରି ଶବବାହକଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ବ୍ୟବସ୍ଥା କରାଯିବ । ଶବବାହକଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ରହିବ । ଏହାଛଡା ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।