ବାସହୀନ ବିଜୁ ପକ୍କା ଘର ହିତାଧିକାରୀ । ଜମି ଓ ସୁନା ବିକି ଘର କାମ ଆରମ୍ଭ କରିବା ପରେ ଠକି ଦେଲା ବ୍ଲକ ପ୍ରଶାସନ ।

162

କନକ ବ୍ୟୁରୋ : ବିଜୁ ପକ୍କା ଘର ପାଇଁ କାର୍ଯ୍ୟାଦେଶ ମିଳିଲା । ଖୁସି ହୋଇଗଲେ ହିତାଧିକାରି । ନିଜ ପାଖରେ ଥିବା ସମ୍ପତ୍ତିକୁ ବିକ୍ରି କରି ଘରର ନିଅଁ ସହ ପିଲାର ପକାଇଲେ । ଆଶା କରିଥିଲେ ପକ୍କା ଘର ହେଲେ ପରିବାର ସହ ଖୁସିରେ ରହିବେ । ହେଲେ ସେ ଆଶା ଆଶାରେ ହିଁ ରହିଗଲା । ଦୀର୍ଘ ୩ ବର୍ଷ ହେଲା ଟଙ୍କା ପାଇଁ ବ୍ଳକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେ କିନ୍ତୁ ଟଙ୍କା ନମିଳିବାରୁ ଘର କାମ ସରୁନି କି ବାସ ମିଳୁନି ।

ରାୟଗଡା ବ୍ଳକ ପିପିଲଗୁଡା ଗାଁର କକା ମାଣ୍ଡାଙ୍ଗୀ । ୨୦୧୭-୧୮ ଆର୍ଥିକ ବର୍ଷରେ କକାଙ୍କ ସ୍ତ୍ରୀ ଉତନା ମାଣ୍ଡାଙ୍ଗୀଙ୍କ ନାମରେ ବିଜୁ ପକା ଘର କାର୍ଯ୍ୟାଦେଶ ମିଳିଥିଲା । ପଞ୍ଚାୟତରେ ପ୍ରଥମ ପକା ଘର ତାଙ୍କୁ ମିଳିଥିଲା । ସେତେବେଳେ ପିଓ ଓ କନିଷ୍ଠ ଯନ୍ତ୍ରୀ ଘରକୁ ଆସି, କହିଲେ ଚାଳ ଘର ଭାଙ୍ଗି ପକା ଘର ତିଆରି କଲେ ତୁମ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ସେମାନଙ୍କ କଥାକୁ ବିଶ୍ୱାସ କରି ଜମି, ସୁନା ଓ ଛେଳି ବିକି ୬୦ ହଜାର ଟଙ୍କା ଯୋଗାଡ କଲେ । ନିଜେ ରହୁଥିବା ଘରକୁ ଭାଙ୍ଗି ନିଅଁ ପକାଇବା ସହ ପିଲାର ଠିଆ କରିଛନ୍ତି । ହେଲେ ଏବେ ଆଉ ପାଖରେ ଟଙ୍କା ନଥିବା ବେଳେ ବିଜୁ ପକ୍କା ଘର ଯୋଜନାରେ କିସ୍ତି ଟଙ୍କା ମିଳୁନାହିଁ । ତେଣୁ ଏଇ ଭଙ୍ଗା ଟିଣ ତଳେ ଜଙ୍ଗଲରେ ରହୁଛନ୍ତି କକାଙ୍କ ପରିବାର ।

୨୦୧୭-୧୮ରେ ତତ୍କାଳୀନ ବିଡିଓ ରାଜେନ୍ଦ୍ର ମାଝୀଙ୍କ ଦସ୍ତଖତ ଥାଇ ବିଜୁ ପକ୍କା ଘର କାର୍ଯ୍ୟାଦେଶ ମିଳିଥିଲା । ୪ ମାର୍ଚ୍ଚ ୨୦୧୮ରେ ଉତନା ମାଣ୍ଡାଙ୍ଗୀଙ୍କୁ କାର୍ଯ୍ୟାଦେଶ ମିଳିଥିବା ବେଳେ ପ୍ରଥମ କିସ୍ତି ବାବଦକୁ ମିଳିବାକୁ ଥିବା ୨୦ ହଜାର ଟଙ୍କା ମଧ୍ୟ ମିଳିନାହିଁ । ୩ ବର୍ଷ ପରେ କୁହାଯାଇଛି ଉତନାଙ୍କ ନାମରେ ଥିବା ଘର ରିଜେକ୍ଟ ହୋଇଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, କ’ଣ ପାଇଁ ଓ କାହିଁକି କଟିଲା ତାହାର ସଠିକ ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ । ଏହି ସମ୍ବନ୍ଧୀୟ କୌଣସି କାଗଜପତ୍ର ବ୍ଳକ କାର୍ଯ୍ୟାଳୟରେ ନାହିଁ । ବିଭାଗୀୟ ଅଧିକାରୀଙ୍କ ହେୟଜ୍ଞାନ ଓ ବେପରୁଆ ମନଭାବ ଯୋଗୁଁ ଜଣେ ବିଜୁ ପକ୍କା ଘର ହିତାଧିକାରି ଆଜି ବାସହୀନ ।