କନକ ବ୍ୟୁରୋ: ୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ । ପ୍ରତି ନିର୍ବାଚନ ମଣ୍ଡଳୀ ପୌରାଞ୍ଚଳ-ପଞ୍ଚାୟତ ସ୍ତରରେ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମନ ବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ହେଉଛି ।

Advertisment

ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀ ମାନେ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହେବେ । କଟକ ଆନନ୍ଦଭବନରୁ ସାଇକେଲ ଶୋଭାଯାତ୍ରା ବାହାରି ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଦଳର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ମେଗା ରକ୍ତଦାନ ଶିବିରର ଅୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀ ମାନଙ୍କୁ ସମ୍ବୋଧନ କରିବା ସହ ନବୀନ ଓଡ଼ିଶା ଗଠନ ନେଇ ଶପଥ ପାଠ କରାଇବେ । ଏନେଇ ଦଳ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀ ମାନେ ଶପଥ ନେବେ । ସେହିପରି ଦଳର ପ୍ରତିଷ୍ଠା ଦିବସ ଅବସରରେ ନିର୍ବାଚନ ମଣ୍ଡଳୀ-ପୌରାଚଂଳ ଏବଂ ପଂଚାୟତରେ ଦଳ ପକ୍ଷରୁ ଗଣଦୌଡ, ସଭା, ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ୨୦୨୪ ନିର୍ବାଚନକୁ ହାତ ଗଣତି କେଇଟା ମାସ ବାକି ଥିବା ବେଳେ ଭୋଟରଙ୍କ ନିକଟତର ହେବାକୁ ଦଳର ପ୍ରତିଷ୍ଠା ଦିବସକୁ ପ୍ରଭାବୀ ଢଙ୍ଗରେ ପାଳୁଛି ବିଜୁ ଜନତା ଦଳ ।