ସଙ୍କଟ ସ୍ଥିତିରେ ସୁପ୍ରିମୋ ଦେଲେ ନିର୍ଦ୍ଦେଶ, ରାଜଧର୍ମ ପାଳନ କଲେ ନେତା । ଭୋକିଲା ଲୋକଙ୍କ ପେଟକୁ ଦି ମୁଠା ଦାନା ଦେଇ ମନ ଜିଣିଲେ ।

867

କନକ ବ୍ୟୁରୋ : ଭୋଟ ସରି ଯାଇଥିଲା । ଖରା ତରାରେ ବୁଲି ଦୀର୍ଘ ଦିନ ପ୍ରଚାର କରିବା ପରେ ବ୍ରେକ ନେଇଥିଲେ ନେତା । ଅପେକ୍ଷା ଥିଲା ଫଳାଫଳକୁ । କିଏ ପରିବାର ସହ ସମୟ ବିତାଉଥିଲା ତ ପୁଣି କିଏ ନିର୍ବାଚନ ଫଳାଫଳକୁ ନେଇ ଅଙ୍କ କଷୁଥିଲା । ଓଡିଶାରୁ ନିର୍ବାଚନପର୍ବ ବିଦାୟ ନେଉଥିବା ବେଳେ ସୁ ସୁ ଗର୍ଜନ କରି ମାଡି ଆସିଥିଲା ବାତ୍ୟା ଫୋନି । ଓଡିଶା ଉପକୂଳରେ ସିଧା ଆସି ମାଡ ହୋଇଥିଲା ବାତ୍ୟା ଫୋନି । କିଛି ଘଣ୍ଟାର ରହଣି ମଧ୍ୟରେ ଅଧା ଓଡିଶାରେ ହାହାକାର ସୃ୍ଷ୍ଟି କରିଥିଲା । ୨୩୦ରୁ ୨୪୦ କିଲୋମିଟର ବେଗ ପବନରେ ଦୋହଲିଯାଇଥିଲା ଅଧା ଓଡିଶା । ଭାଙ୍ଗି ଯାଇଥିଲା ଘରଦ୍ୱାରା, ଉଜୁଡି ଯାଇଥିଲା ଜୀବନ ଜୀବିକା । ଭୋକ ମେଣ୍ଟାଇବା ପାଇଁ ଦି ମୁଠା ଦାନା ଯୋଗାଡ କରିବାକୁ ଏଇଠୁ ଆରମ୍ଭ ହୋଇଥିଲା ସଂଘର୍ଷ ।

ବାତ୍ୟା ପରେ ପେଟର ଭୋକ ମେଣ୍ଟାଇବାକୁ ଲକ୍ଷ ଲକ୍ଷ ଲୋକ ସଂଘର୍ଷ କରୁଥିବା ବେଳେ ନେତାଙ୍କ ପାଇଁ ଆସିଥିଲା ଅସଲି ପରୀକ୍ଷାର ସମୟ । ବିଶ୍ୱାସ ଓ ଭରସା ଜିତିବାର ସମୟ । ରାଜଧର୍ମ ପାଳନ କରିବାର ସମୟ । କାରଣ ବାତ୍ୟା ଫୋନି ଆସିବାର ଦିନ କେଇଟା ପୂର୍ବରୁ ଘରକୁ ଘର ବୁଲି ଭୋଟ ମାଗୁଥିବା, ଦୁଃଖସୁଖରେ ଛିଡା ହେବା ପାଇଁ ପ୍ରତିଶୃତି ଦେଇଥିବା ନେତାଙ୍କର ସାହାଯ୍ୟ ଓ ସହାୟତାକୁ ଅନାଇ ବସିଥିଲେ ବାତ୍ୟା ପ୍ରଭାବିତ ଲୋକେ ।

ଆଉ ଜନତାଙ୍କ ଏଭଳି ଦୁର୍ଦ୍ଦିନ ସମୟରେ ନିଜ ଦଳର ନେତାଙ୍କ ପାଖକୁ ଆସିଥିଲା ସୁପ୍ରିମୋ ନବୀନଙ୍କ ନିର୍ଦ୍ଦେଶ । ନିବାର୍ଚନ ସମୟରେ ଯେଉଁଭଳି ଭୋଟ ମାଗିଥିଲ ଏବେ ସେହିଭଳି ଭୋକ ପାଖରେ ପହଞ୍ଚିବାକୁ ନବୀନଙ୍କର ଥିଲା କଡା ନିର୍ଦ୍ଦେଶ । ଦୁର୍ଦ୍ଦିନରେ ଥିବା ଦୁଃଖୀ ମଣିଷଙ୍କୁ ଖୋଜି ଖୋଜି ବାହାର କରି ସେମାନଙ୍କର ସାଥୀ ହୋଇ ଛିଡା ହେବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବୀନ । ଆଉ ନବୀନଙ୍କ ନିର୍ଦ୍ଦେଶ ପାଇବା ପରେ ସବୁ କାମକୁ ପଛରେ ପକାଇ ରାଜଧର୍ମ ପାଳନ କରିବାକୁ ଆଗେଇ ଆସିଥିଲେ ବିଜେଡିର ନେତା । ଭୋକରେ ଆଉଟୁ ପାଉଟୁ ହେବା ସହ ଦୁର୍ଦ୍ଦିନରେ ଜୀବନ କାଟୁଥିବା ଲୋକଙ୍କ ପାଖରେ ନେତା ନୁହେଁ ବରଂ ପରିବାର ସଦସ୍ୟ ଭାବେ ଛିଡା ହୋଇଥିଲେ । କାରଣ ପୂର୍ବରୁ ଚାରି କୋଟି ଓଡିଆଙ୍କୁ ନିଜର ପରିବାର ବୋଲି କହି ଆସୁଥିଲେ ନବୀନ ।

ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାରେ ବିଦ୍ୟୁତ ଓ ପାନୀୟ ଜଳ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଥିବା ବେଳେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ଲୋକେ । ଆଉ ଏଭଳି ସ୍ଥିତିରେ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଭୋକିଲା ଲୋକଙ୍କ ପାଖରେ ପହଞ୍ଚିଥିଲେ ବିଜେଡି ନେତା । ସାଙ୍ଗରେ ପ୍ରତିଶୃତିର ପୁଡିଆ ନୁହେଁ ବରଂ ଖାଦ୍ୟର ଭଣ୍ଡାର ନେଇ ପହଞ୍ଚିଥିଲେ ବାତ୍ୟା ବିପନ୍ନଙ୍କ ପାଖରେ । କିଏ ବ୍ରହ୍ମଗିରିରେ ତ ପୁଣି କିଏ ପୁରୀରେ । ପୁରୀ ଜିଲ୍ଳାର ୫ଟି ବ୍ଲକ ଓ ୧୩୧ ଗ୍ରାମ ପଞ୍ଚାୟତର ସାଢେ ୪ ଲକ୍ଷ ଲୋକଙ୍କୁ ୭ ଦିନ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କର ପ୍ରକୃତ ବନ୍ଧୁ ଭାବେ ଛିଡା ହୋଇଥିଲେ । କେବଳ ପୁରୀ ନୁହେଁ ବାତ୍ୟା ଫୋନି ପ୍ରଭାବିତ ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା ।

ଏପରିକି ବାତ୍ୟା ବିପନ୍ନଙ୍କ ସହ ରହିବା ବେଳେ ଏମାନେ ନିଜକୁ ନେତା ବୋଲି ମଧ୍ୟ ଭୁଲିଯାଇଥିଲେ । ସାଙ୍ଗ ହୋଇ ବସି ଖାଇବା ଠାରୁ ଆରମ୍ଭ କରି ଲୋକଙ୍କ ସହ ମିଳିମିଶି ରୋଷେଇ କରିବା, ଖାଦ୍ୟ ପରଷିବା ପାଇଁ ମଧ୍ୟ କୁଣ୍ଠାବୋଧ କରିନଥିଲେ ଏହି ନେତା ମାନେ । ଆଉ ଏଭଳି କରି ଅନ୍ୟମାନଙ୍କୁ ସହାୟତାର ହାତ ବଢାଇବାକୁ ଉତ୍ସାହିତ କରିବା ସହ ଉଦାହରଣ ସୃଷ୍ଟି କରିଥିଲେ । ଆଉ ଏହାସହ ଦର୍ଶାଇଥିଲେ ଯେ, ଦୁର୍ଦ୍ଦିନରେ ସର୍ବଦା ଓଡିଶାବାସୀଙ୍କ ସହ ରହିଛନ୍ତି ନବୀନ ।