କାମରେ ଆସିଲାନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଅସୁସ୍ଥ ହେଇ ଘରେ ପଡିରହିଛନ୍ତି ମହେଶ୍ୱର । 

104

କନକ ବ୍ୟୁରୋ: କାମରେ ଆସିଲାନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଚିକିତ୍ସା ଅଭାବରୁ ଜଣେ ବ୍ୟକ୍ତି କିପରି ଘରେ ପଡି ରହିଛନ୍ତି ତାର ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ । ରାଜନଗର ବ୍ଲକ ଜୁଣଗଡି ଗାଁର ମହେଶ୍ୱର ରାଉତ । କିଛିଦିନ ହେବ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଯୋଗାଯୋଗ କରିଥିଲେ । ମାତ୍ର ଅର୍ଥ ଅଭାବରୁ ଏବେ ପରିବାର ଲୋକେ ତାଙ୍କ ଚିକିତ୍ସା ନକରିପାରି ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।

ମହେଶ୍ୱର ଏବେ ମସ୍ତିଷ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ । କଟକ ଏସସିବି ମେଡିକାଲରେ ଦୀର୍ଘ ୨ମାସ ହେବ ସେ ଚିକିତ୍ସା ହୋଇ ଆସୁଥିଲେ । ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିବାରୁ ଏବେ ସେ ଘରକୁ ଫେରି ଆସିଛନ୍ତି । ଏସସିବିରେ ଅପରେସନ ହେବା ପରେ ଫଙ୍ଗଲ ଇଂଫେକ୍ସନ ଯୋଗୁଁ ରୋଗଟି ଜଟିଳ ରୋଗ ଧାରଣ କରଛି । ଏହି ଜଟିଳ ରୋଗକୁ ଭଲ କରିବା ପାଇଁ ତାଙ୍କୁ ୪ ଲକ୍ଷ ଟଙ୍କା ଆବଶ୍ୟକ । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଡାକ୍ତର କହିଥିବା, ସେ ଅଭିଯୋଗ କରିଛନ୍ତି ।