ପରଦାକୁ ଆସିଲା ଚଳଚ୍ଚିତ୍ର ବିଜୁ ବାବୁ : ମୁଖ୍ୟ ଭୂମିକାରେ ନଜର ଆସିଲେ ଅନୁଭବ ଓ ସୁପ୍ରିୟା । ପ୍ରଯୋଜନା ଦେଲେ ବଲିଉଡ୍ ଫେମ୍ ନୀଳ ମାଧବ ପଣ୍ଡା

259

କନକ ବ୍ୟୁରୋ : ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ବିଜୁ ବାବୁ’ । ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ଗର୍ଜିଅସ୍ ବିୟୁଟି ସୁପ୍ରିୟା ନାୟକ । ଏହି ଫିଲ୍ମଟି ପ୍ରଖ୍ୟାତ ବଲିଉଡ୍ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ।

ହାଇ ବଜେଟ୍, ଭରପୁର ଆକ୍ସନ ଓ ଡ୍ରାମା ଏବଂ ସୋସିଆଲ୍ ଆୱାରନେସକୁ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର ବିଜୁ ବାବୁ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ପ୍ରେରଣା ମାନି ଜଣେ ଯୁବକ କିପରି ସମାଜରେ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଏ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଆଜିର ସୋସିଆଲ୍ ମିଡିଆ ଯୁଗରେ ଭୁଲ ଖବର ପ୍ରଚାରକୁ କିପରି ରୋକା ଯାଇପାରିବ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଭୁଲ୍ ଖବର ପ୍ରଚାର ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡନ୍ତି ଆଉ କିଛି ଲୋକ ପ୍ରାଣ ବି ହରାନ୍ତି । ଏମିତି ଭୁଲ ଖବର ପ୍ରଚାର ବିରୋଧରେ ସ୍ୱର ଉଠାଏ ବିଜୁ । ଆଉ ଫିଲ୍ମରେ ବିଜୁ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ସୁପ୍ରିୟା ନାୟକଙ୍କୁ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ପରଦାରେ ଅନୁଭବଙ୍କ ସହ ରୋମାନ୍ସ କରିଛନ୍ତି ସୁପ୍ରିୟା । ତେବେ ସିନେମାଟି ଏବେ ଦର୍ଶକଙ୍କ ପାଖରେ ପହଂଚିଛି । ଫିଲ୍ମର ପ୍ରିମିୟର୍ ଶୋ’ କଟକରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ମେକରଙ୍କ ସହ ନଜର ଆସିଥିଲେ ଲିଡ୍ ଷ୍ଟାର୍ ।

ଅକ୍ଷୟ ପରିଜା ଫିଲ୍ମସ୍, ପ୍ରକାଶ ଫିଲ୍ମସ୍, ଓ ନୀଳମାଧବ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ୍ ମୌର‌୍ୟା । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଯାହାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆକର୍ଷଣୀୟ ଗୀତ ସ୍ଥାନ ପାଇଛି ଏହି ସିନେମାରେ ।

ଦମଦାର୍ କାହାଣୀ, ମନଲୋଭା ଗୀତ ଆଉ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି ଚଳଚ୍ଚିତ୍ର ବିଜୁ ବାବୁରେ । ଯାହା ଓଡିଆ ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।