ମମିତା ମେହେର ହତ୍ୟା ମାମଲା : ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

୧୫ରେ ଏଫଆଇଆର ହୋଇଥିଲେ ବି ୩ଦିନ ବିଳମ୍ବରେ କାହିଁକି କେସ ଡାଏରୀ ହେଲାବୋଲି କଲେ ପ୍ରଶ୍ନ

133

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୋଲିସ ତଦନ୍ତକୁ ଦୁର୍ବଳ କରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା କେତେକ ତଥ୍ୟ ଉପସ୍ଥାପନ କରି ପ୍ରଶ୍ନ ଉଠାଇଛନ୍ତି । ମମତା ମାମଲାରେ ସିନେ୍ଧକେଲା ଥାନା ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ ଦାଖଲ କରିଥିବା କେସ ଡାଏରୀ ଆଧାରରେ ଏହି ପ୍ରଶ୍ନ କରିଛନ୍ତି ବିଜୟ ।

ତାଙ୍କ କହିବା ହେଲା ମମିତା ହତ୍ୟା ମାମଲାରେ ଅକ୍ଟୋବର ୧୩ ତାରିଖରେ ଏଫଆଇଆର କରିଥିଲା ପୋଲିସ । ହେଲେ ୧୬ ତାରିଖରେ କୋର୍ଟରେ କେସ ଡାଏରୀ କରିଛି । ତେବେ କାହିଁକି ୩ ଦିନ ବିଳମ୍ବ କଲା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ପୋଲିସ କେସ ଡାଏରୀରେ ଲେଖାଅଛି ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁ କିଛି ଛାତ୍ରୀ ଏବଂ ସ୍କୁଲ ଓ କଲେଜର ମହିଳା କର୍ମଚାରୀଙ୍କ ଯୌନ ଶୋଷଣ କରୁଥିବା ମମିତା ଜାଣିଥିଲେ ।

ଏପରିକି ମମିତା ଗୋବିନ୍ଦର ଏହି ଅନୈତିକ କାମକୁ ବିରୋଧ କରୁଥିଲେ । ତେଣୁ ଗୋବିନ୍ଦ ସେକ୍ସ ରାକେଟ ଚଳାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର ତଦନ୍ତ କିଏ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଗୋବିନ୍ଦ କିଭଳି ଓ କେଉଁ ସ୍ଥାନରେ ମମିତାଙ୍କୁ ହତ୍ୟା କରିଥିଲା ସେନେଇ ପୋଲିସ ସିନ ରି-କ୍ରିଏସନ କରିଥିଲା । ଯାହାକୁ ଫିଲ୍ମ କହି ସମାଲୋଚନା କରିଥିଲେ ବିଜୟ ମହାପାତ୍ର ।

ଆଜି ସେହି କଥାକୁ ଦୋହରାଇ ବିଜୟ କହିଛନ୍ତି ଯେ, ଗୋବିନ୍ଦର ସ୍ୱୀକାରୋକ୍ତି ନେଇ ପୋଲିସ କେସ ଡାଏରୀରେ କୁହାଯାଇ ନାହିଁ । ଏହିଭଳି ଏକାଧିକ ପ୍ରଶ୍ନ ଉଠାଇ ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।